ବିଶ୍ୱ ପରିବେଶ ଦିବସ ଅବସରରେ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ତଥା ୩ ନମ୍ବର ଓରିଏଣ୍ଟ କୋଇଲାଖଣି ପାଇଁ ଆମଦରହ ଏବଂ ଜୁନାନିମୁଣ୍ଡା ଗ୍ରାମର ଜଙ୍ଗଲଜମି ପରିବର୍ତ୍ତନ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଏବଂ ଜଙ୍ଗଲ, ପରିବେଶ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ପ୍ରସ୍ତାବିତ ୩ ନମ୍ବର ଓରିଏଣ୍ଟ ଖୋଲାମୁହଁ କୋଇଲାଖଣିକୁ ବାତିଲ କରିବା ଦାବି ନେଇ ଲୋକମୁକ୍ତି ସଙ୍ଗଠନର ଆହ୍ୱାନରେ ଆଜି ଆମଦରହ ଗ୍ରାମ ନିକଟସ୍ଥ କୁଲଥିଆ ଡୁଙ୍ଗୁରି ନିକଟ ଜଙ୍ଗଲରେ ଏକ ବୃହତ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶଯୋଗ୍ୟ ଯେ,ଜିଲ୍ଲାରେ ବ୍ୟାପକ ଶିଳ୍ପାୟନର ପ୍ରଭାବରେ ଉତ୍କଟ ପ୍ରଦୂଷଣ ଏକ ଗମ୍ଭୀର ରୂପ ଧାରଣ କରିଥିବା ବେଳେ ନିଜ ଭିଟାମାଟିରୁ ଲୋକେ ବିସ୍ଥାପିତ ହେଉଛନ୍ତି। ଝାରସୁଗୁଡା ଜିଲ୍ଲାରେ ଏକଦା ଭୌଗଳିକ ଅଞ୍ଚଳର ୩୩ ପ୍ରତିଶତ ଆଚ୍ଛାଦିତ ଥିବା ଜଙ୍ଗଲ ବର୍ତ୍ତମାନ ୧୪ ପ୍ରତିଶତକୁ ଖସି ଆସିଛି। ଝାରସୁଗୁଡା ଫରେଷ୍ଟ ଡିଭିଜନର ବ୍ରଜରାଜନଗର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଏହି ଅଞ୍ଚଳରେ ଘନ ଜଙ୍ଗଲ ଆଚ୍ଛାଦିତ ହୋଇ ରହିଛି। ଅନେକ ପୁରୁଣା ଗଛ ସହିତ ଜଙ୍ଗଲୀ ଜୀବଜନ୍ତୁ, ସରୀସୃପ, ଝରଣା, ଜଳାଶୟ, ପୋଖରୀ, ବନ୍ଧ ଥିବା ଏହି ଜଙ୍ଗଲ ଧ୍ୱଂସ ହେଲେ ସ୍ଥାନୀୟ ବସିନ୍ଦାଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିବା ସହ ପରିବେଶ ଏବଂ ଜୈବବିବିଧତା ନଷ୍ଟ ହେବ। ଏଣୁ ଏହାର ସୁରକ୍ଷା ପାଇଁ ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ମାଧ୍ୟମରେ , ପ୍ରସ୍ତାବିତ କୋଇଲାଖଣିକୁ ବାତିଲ କରିବା ପାଇଁ ସରକାରଙ୍କୁ ସନ୍ଦେଶ ଦିଆଯିବା ସହ ଉକ୍ତ ପ୍ରକଳ୍ପ ପାଇଁ ଆଗାମୀ ଦିନରେ ଗୋଟିଏ ମଧ୍ୟ ଗଛ କାଟିବାକୁ ନଦେବା ପାଇଁ ସଂକଳ୍ପ ନିଆଗଲା। ଆଜି ଏହି କାର୍ଯ୍ୟକ୍ରମରେ ଲୋକମୁକ୍ତି ସଙ୍ଗଠନର ଉପଦେଷ୍ଟା ଅନନ୍ତ ଯୋଗଦାନ କରି କହିଥିଲେ ଯେ ପୁଞ୍ଜିବାଦୀ ବିକାଶ ନୀତି ଯୋଗୁଁ ଜଳ, ଜମି, ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦର ଅନ୍ଧାଧୁନ୍ଦ ବିନାଶ ଫଳରେ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ବୃହତ ସମସ୍ୟା ଭାବରେ ଉଭା ହେଇଛି। ପ୍ରବଳ ଉତ୍ତାପ ଏବଂ ବର୍ଷାର ଅଭାବ ଯୋଗୁଁ ,ନଦୀ, ନାଳ ଶୁଖିଲା ରହୁଛି । ଚିନ୍ତାର ବିଷୟ ହେଲା ଯେ ନଦୀ ସବୁ ମରି ମରି ଯାଉଛି। ଏଣୁ ପ୍ରସ୍ତାବିତ କୋଇଲାଖଣି ଯୋଗୁଁ ଏହି ଜଙ୍ଗଲ ଧ୍ୱଂସ ହେଲେ ସ୍ଥାନୀୟ ଲୋକଙ୍କର ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିବା ସହ ସମଗ୍ର ଝାରସୁଗୁଡା ଜିଲ୍ଲା ପାଇଁ ଏହା ବିପଦ ହେବ। ଏଣୁ ସରକାର ପ୍ରସ୍ତାବିତ କୋଇଲାଖଣି ବାତିଲ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ।ଅନ୍ୟ ମାନଙ୍କ ମଧ୍ୟରେ ଲୋକମୁକ୍ତି ସଙ୍ଗଠନର ମୁଖ୍ୟ ସଂଯୋଜକ ଉମାକାନ୍ତ ନାଏକ, ଉପସଭାପତି ରସାନନ୍ଦ କିସାନ, ରାମଚନ୍ଦ୍ର କୁମ୍ଭାର, ସୁରେନ୍ଦ୍ର ରୋହିଦାସ ପ୍ରଭୃତି ଯୋଗଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ପ୍ରଭାବିତ ଆମଦରହ ଏବଂ ଜୁନାନିମୁଣ୍ଡା ଗ୍ରାମରୁ ଘନଶ୍ୟାମ ମାଝୀ, ବିପିନ ଏକ୍କା, ବୁଧୁରାମ ନାଏକ, କିଶୋର ଖଡ଼ିଆ, ରାମଦାସ ଖଡ଼ିଆ, ସୁରେଶ ଆଇନ୍ଦା, ଭୀଷ୍ମ ଖଡ଼ିଆ, ବିରଞ୍ଚି ଖଡ଼ିଆ, ଶିବ ମୁଣ୍ଡା, ମଙ୍ଗଳ ମୁଣ୍ଡା, ଶୁସମା କୁମୁରା, ଶଶି ମୁଖୀ ମାଝୀ, ମମତା ଖଡ଼ିଆ, ସୁମତି ଖଡ଼ିଆ ପ୍ରଭୃତି ନେତୃବୃନ୍ଦଙ୍କ ସମେତ ଶତାଧିକ ଲୋକ ଯୋଗଦାନ କରିଥିବା ସହ ଏହି ଆନ୍ଦୋଳନକୁ ସନର୍ଥନ କରି ପଡୋଶୀ ଗ୍ରାମ ବଡ଼ଜୋବ ଏବଂ ମଧୁପୁରରୁ ମଧ୍ୟ ଯୋଗଦାନ କରିଥିଲେ।
0 Comments