ବ୍ରଜରାଜନଗର - ରାଜପୁର ସମଲେଶ୍ଵରୀଙ୍କ ଦଶରା ପୁନି ବଏଲ ଯାତ୍ରା ସମ୍ପନ୍ନ ହୋଇଛି । ଏହା ପ୍ରତିବର୍ଷ କୁମାର ପୂର୍ଣ୍ଣିମାରେ ହେଉଥିଲେ ହେଁ ଚଳିତ ବର୍ଷ ପୂର୍ଣ୍ଣିମାରେ ତୁଳା ସଂକ୍ରାନ୍ତି ଥିବାରୁ ଆଜି ଏହାର ଆୟୋଜନ ହୋଇଥିଲା । ଆଜି ରାଜପୁର ସମଲେଶ୍ଵରୀ ମନ୍ଦିରରେ ରାଜ ପୁରୋହିତ ପ୍ରଦୀପ ପାଟ୍ଟଯୋଶୀ ମା'ଙ୍କ ସହିତ ପାର୍ଶ୍ଵ ଦେବୀଙ୍କ ପୂଜାର୍ଚ୍ଚନା ପରେ ଚଣ୍ଡୀ ପାଠ କରିଥିଲେ । ସନ୍ଧ୍ୟାରେ ବଳିଯାତ୍ରା ପାଇଁ କାଲୋକୁ ମନ୍ଦିରକୁ ଅଣାଯିବା ପରେ ରାଜ ପୁରୋହିତ ମା'ଙ୍କୁ ଆବାହନ କରି କାଲୋ ଶରୀରରେ ପ୍ରବେଶ କରାଇଥିଲେ । ମା'ଙ୍କ ଶକ୍ତି ସଞ୍ଚାର ହେବା ପରେ ବରୁଆଙ୍କୁ ପ୍ରଥମେ ରାଜପୁର ଜମିଦାରଙ୍କ ଉଆସକୁ ନିଆଯାଇଥିଲା । ତା ପୂର୍ବରୁ ବରୁଆ ପ୍ରଥମେ ଦୁର୍ଗା ଗୁଡ଼ି ସମ୍ମୁଖରେ ପାଟ୍ଟ ଖଣ୍ଡା ଖେଳିଥିଲା । ପରେ ଜମିଦାର ଉଆସରେ ଜମିଦାର ବଂଶଜ ବୋହୂମାନେ ବରୁଆ,ପାଟ୍ଟ ଖଣ୍ଡା,ଛତର,ବୈରଖକୁ ପୂଜାର୍ଚ୍ଚନା କରି ନିଜର ହାରି ଗୁହାରି ଜଣାଇଥିଲେ । ବରୁଆ ସେଠାରୁ ବାହାରି ଜଗନ୍ନାଥ ମନ୍ଦିର ପଡ଼ା,ରାଜପୁର ହାଟ ଦାଣ୍ଡ,ପୁରୁଣା ବସ୍ତି,ପଟ୍ଟାଭାଡ଼ି,ସମଲେଇ ମନ୍ଦିର ପଡ଼ା ପରିକ୍ରମା ବେଳେ ଗ୍ରାମବାସୀମାନେ ବାରୁଆକୁ ନିଜ ନିଜ ଘର ସମ୍ମୁଖରେ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ବିଳମ୍ୱିତ ରାତିରେ ଜମିଦାର ବଂଶଜଙ୍କ ଉପସ୍ଥିତରେ ରାଜ ପୁରୋହିତ ନିଶାପୂଜା କରିଥିଲେ । ପୂଜା କାର୍ଯ୍ୟରେ ପଣ୍ଡିତ ମୋତିଲାଲ ମିଶ୍ର ଓ ବାସୁଦେବ ଦାସ ସହଯୋଗ କରିଥିଲେ । ସମ୍ବଲପୁର ୫ମ ମହାରାଜ ବଳିଆର ସିଂଙ୍କ ରାଜଗାଦି ସମ୍ଭାଳିବା ପରେ ତାଙ୍କ ଦ୍ଵିତୀୟ ଭାଇ ଅନିରୁଦ୍ଧ ସାଏଙ୍କୁ ଖିଣ୍ଡା ଓ ରାଜପୁର ଜମିଦାରୀ ଦେଇଥିଲେ । ଅନିରୁଦ୍ଧ ସାଏ ତାଙ୍କ ବଡ଼ ପୁତ୍ର ମାଧବ ସିଂଙ୍କୁ ଖିଣ୍ଡା ଓ ଦ୍ଵିତୀୟ ପୁଅ ରାଜ ସିଂଙ୍କୁ ରାଜପୁର ଭରଣ ପୋଷଣ ପାଇଁ ଦେଇଥିଲେ । ରାଜ ସିଂ ରାଜପୁରରେ ଚୈହାନ ବଂଶର ପ୍ରତିଷ୍ଠା କରି ଇଷ୍ଟଦେବୀ ସମଲେଶ୍ଵରୀଙ୍କ ମନ୍ଦିର ସ୍ଥାପନା କରିଥିଲେ ଓ ସେ ସମୟରୁ ଜାରି ରହିଥିବା ରାଜପୁର ବଏଲ ଯାତ୍ରା ରାଜୁଡା ଶାସନରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ନିଜ ସ୍ଥିତିକୁ ବଜାୟ ରଖିଛି ।
0 Comments