ଝାରସୁଗୁଡା ଜିଲ୍ଲା ଲଇକେରା ଠାରେ ରାଜ୍ୟସରକାରଙ୍କ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ଆଦେଶର ପ୍ରତ୍ୟାହାର କରିବା ଏବଂ ଭୂମିହୀନ ଗରିବଙ୍କୁ ଉଚ୍ଛେଦ ନକରି ଦଖଲ ଜମିରେ ଭୁସଂସ୍କାର ଆଇନ ଅନୁଯାୟୀ ବନ୍ଦୋବସ୍ତ କରିବା ଦାବି ନେଇ ଲୋକମୁକ୍ତି ସଙ୍ଗଠନ ଲଇକେରା ବ୍ଲକ ପକ୍ଷରୁ ଲଇକେରା ଠାରେ ବିରାଟ ରେଲି ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରେଲି ଲଇକେରା କଲେଜ ଛକ ଠାରୁ ଆରମ୍ଭ ହୋଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତିବାଦ ସଭା ପରେ ୬ ଦଫା ଦାବି ଯଥା-ରାଜ୍ୟସରକାରଙ୍କ ଦ୍ୱାରା ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ଦିଆଯାଇଥିବା ଆଦେଶକୁ ପ୍ରତ୍ୟାହାର କରିବା,ଭୂମିହୀନ ଗରୀବ ପରିବାରଙ୍କୁ ଦଖଲ ଜମିରେ ବନ୍ଦୋବସ୍ତ କରିବା, ଭୂମିହୀନ ପରିବାରଙ୍କୁ ବଣ୍ଟନ କରାଯାଇଥିବା ଜମିର ଚିହ୍ନଟ କରିବା, ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ କୃଷି କାର୍ଯ୍ୟ ପାଇଁ ଜମି ପ୍ରଦାନ କରିବା, ଜଙ୍ଗଲ ଅଧିକାର ଆଇନକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ତଥା ପେସା ଆଇନର ସଠିକ କାର୍ଯ୍ୟକାରିତା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ତହସିଲଦାର ଲଇକେରାଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହିତ ଦଖଲ ସରକାରୀ ଜମିରେ ବନ୍ଦୋବସ୍ତ ପାଇଁ ୪୫୭ ଜଣ ଭୂମିହୀନ ପରିବାର ପୂରଣ କରି ଆଣିଥିବା ଫର୍ମ ନମ୍ବର ୧ ନିୟମ ୫(୨) ( OGLS Rule) ତହସିଲଦାରଙ୍କ ପାଖରେ ଦାଖଲ କରିଥିଲେ। ତହସିଲଦାର ଶ୍ରୀଯୁକ୍ତ ମୁରଲୀଧର ଉର୍ମାଲ ଦାବିପତ୍ରକୁ ଗ୍ରହଣ କରି ଭୂମିହୀନ ମାନଙ୍କୁ ଭୁସଂସ୍କାର ଆଇନ ଅନୁଯାୟୀ ବନ୍ଦୋବସ୍ତ କାର୍ଯ୍ୟ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ରେଲି ଏବଂ ପ୍ରତିବାଦ ସଭାରେ ଲୋକମୁକ୍ତି ସଙ୍ଗଠନର ଉପଦେଷ୍ଟା ଅନନ୍ତ, ମୁଖ୍ୟ ସଂଯୋଜକ ଉମାକାନ୍ତ ନାଏକ, ସଂଯୋଜକ ଜିନିତ ସାମାଦ, କୈଳାଶ ପିଙ୍ଗ, ସଙ୍ଗଠନର ସଭାପତି ପରମାନନ୍ଦ ଦାରକା, ଉପସଭାପତି ରସାନନ୍ଦ କିସାନ, ପରମେଶ୍ବର ବାଘ, କ୍ଷୀରୋଦ କିସାନ, ପଦ୍ମଲୋଚନ କିସାନ, ପ୍ରଦୀପ ହେମ୍ମ୍ରମ, ବାଲ୍ମୀକି ଜୟପୁରିଆ, ଦୁର୍ଗା ପ୍ରସାଦ ଭୋଇ, ତପସ୍ୱିନୀ ମୁଣ୍ଡା, ମେରୀ ଟପନୋ ପ୍ରଭୃତି ନେତୃବୃନ୍ଦଙ୍କ ସହିତ ଲଇକେରା ତହସିଲର ବିଭିନ୍ନ ପଞ୍ଚାୟତରୁ ୫୦୦ ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ।
0 Comments