ସମ୍ମିଳିତ ଆଦିବାସୀ ସମାଜର ଏକ ସାଧାରଣ ସଭା ସଭାପତି ମାଧବ ସିଂହ ନାଏକଙ୍କ ସଭାପତିତ୍ୱରେ ସ୍ଥାନୀୟ କାପୁମାଲ ଗୋଁଣ୍ଡ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ପୋଲିସ ହେପାଜତରୁ ଛଡାଇ ନେଇ ସର୍ବସମ୍ମୁଖରେ ଉଲଗ୍ନ କରି ଶହଶହ ଲୋକଙ୍କ ମଧ୍ୟରେ ପରେଡ କରାଇ ସମୁହିକ ଗଣ ବଳତ୍କାର କରିବା ଘଟଣାକୁ ନିନ୍ଦା କରି ରାଜ୍ୟରେ ଶାନ୍ତି ଫେରିବା ପାଇଁ ନିବେଦନ କରିଛି। ଗତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନ ସମୟରେ ଜିଲ୍ଲାର ପ୍ରମୁଖ ତିନି ଗୋଟି ସଂଗଠନ ସମ୍ମିଳିତ ଆଦିବାସୀ ସମାଜ, ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା, ୫୫୦ କିସାନ ଜାତି ସମାଜ ନବୀନ ସରକାରଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ। ଭୂବନେଶ୍ୱରକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତିର ପ୍ରତିଶୃତି ପାଇବା ପରେ ସଂଗଠନର ୬୦ ଜଣିଆ ପ୍ରତିନିଧି ଦଳ ଭୂବନେଶ୍ୱର ସ୍ଥିତ ମୂଖ୍ୟ ବିଜେଡି କାର୍ଯ୍ୟାଳୟରେ ସରକାରୀ ଦଳରେ ଯୋଗ ଦେଇଥିଲେ। ଏବଂ ଉପ ନିର୍ବାଚନରେ ତିନୋଟି ସଂଗଠନ ବଢିଚଢି ସହଯୋଗ କରିଥିଲେ। ରାଜ୍ୟ ସରକାର ଆଦିବାସୀ ମାନଙ୍କ ଭାଷା, ସଂସ୍କୃତି, ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ୯ ଗୋଟି ଜିଲ୍ଲାରେ ତାର ବିକାଶ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ଚଳିତ ବର୍ଷ ମଇ ୧୪ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ୱର ଆଦିବାସୀ ପଡିଆ ଠାରେ ବିଧିବଦ୍ଧ ଭାବେ ଘୋଷଣା କରି ଏହି ପରିଷଦରେ ଆହୁରି ୧୪ ଗୋଟି ଜିଲ୍ଲାକୁ ସାମିଲ କରିଛନ୍ତି। ସେଥିରେ ଝାରସୁଗୁଡା ଜିଲ୍ଲା ମଧ୍ୟ ଅବସ୍ଥିତ ରହିଛି। ରାଜ୍ୟ ସରକାର ପରିଷଦର ସୁପରିଚାଳନା ନିମନ୍ତେ ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ଜିଲ୍ଲାରେ ଅଧ୍ୟକ୍ଷ ପଦ ମନୋନୀତ ପାଇଁ ପ୍ରସ୍ତାବ ଆଗତ କଲେ। ଝାରସୁଗୁଡା ଜିଲ୍ଲାରେ ଦିର୍ଘ ବର୍ଷ ହେବ ଆଦିବାସୀ ମାନଙ୍କ ସାମ୍ବିଧାନିକ ହକ ଅଧିକାର ତାଙ୍କ ଭାଷା, ସଂସ୍କୃତି, ପରମ୍ପରାର ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଏବଂ ଆଦିବାସୀ ନେତୃତ୍ବ ନେଉଥିବା ବିଗ୍ୟଂ ବ୍ୟକ୍ତିଙ୍କ ନାମ ଅଧ୍ୟକ୍ଷ ପଦବୀ ପାଇଁ ସମ୍ମିଳିତ ଆଦିବାସୀ ସମାଜ ସରକାରଙ୍କ ପାଖକୁ ନାମ ପଠାଇଥିଲା। ହେଲେ ଗତ ଅଗଷ୍ଟ ୧ ତାରିଖ ଦିନ ରାଜ୍ୟ ସରକାର ସମସ୍ତ ୧୪ ଗୋଟି ଜିଲ୍ଲାର ଅଧ୍ୟକ୍ଷ ପାଇଁ ନାମ ଘୋଷଣା କରିଛନ୍ତି। ଯେଉଁଥିରେ ଝାରସୁଗୁଡା ଜିଲ୍ଲା ଅଧ୍ୟକ୍ଷ ପଦ ପାଇଁ ମୋହନ କିସାନଙ୍କ ନାମ ରହିଛି। ଯାହାକୁ ଜିଲ୍ଲାର ଅର୍ଦ୍ଧାଧିକ ଲୋକ ଜାଣି ନାହାଁନ୍ତି କିମ୍ବା ଆଦିବାସୀ ମାନଙ୍କ ପାଇଁ କୌଣସି କାର୍ଯ୍ୟ କରିଥିବାର ନଜିର ନାହିଁ। ଏଭଳି ଜଣେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଏକ ମର୍ଯ୍ୟାଦା ପୂର୍ଣ୍ଣ ପଦରେ ଆସିନ କରିବା କାହା ସ୍ବାର୍ଥରେ ଓ କାହିଁକି ସଂଗଠନକୁ ପଚରାଗଲା ନାହିଁ ବୋଲି ସମ୍ମିଳିତ ଆଦିବାସୀ ସମାଜ ପ୍ରଶ୍ନ କରିଛି? ଏବଂ ଆଗକୁ ଏହାକୁ ଦୃଢ ବିରୋଧ କରାଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଛି। ଏହି ସଭାରେ ପ୍ରମୁଖ ସଚିବ ଅଶୋକ ମାଝୀ, ଉପଦେଷ୍ଟା ରତ୍ନାକର ପ୍ରଧାନ, ପ୍ରଭାକର ଓରାମ, ଡମ୍ବରୁଧର ନାଏକ, ଉପସଭାପତି କଷ୍ଟୁ ପିଙ୍ଗ, ବୀର ଧୁରୁଆ, ଶ୍ୟାମଲାଲ ନାଏକ ସଚିବ ବାସୁଦେବ ଧୁରୁଆ, ଦିଲିପ ଲୁହା, ମୁରାରୀ ଭୁଏ, ଖଗେଶ୍ବର ନାଏକ, ଧର୍ମେନ୍ଦ୍ର କିସାନ, ରସାନନ୍ଦ କିସାନ, ତ୍ରିଲୋଚନ ଡନସନା, ବିନୋଦ ବାଗ, ହୁକୁମ ସିଂହ, ଚୁଡାମଣୀ ଧୁରୁଆ, ଭୋଳାନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
0 Comments