ବେଆଇନ ପାଉଁଶ ପରିବହନ ଓ ଡମ୍ପିଂ ଘଟଣା ।ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବ୍ରଜରାଜନଗର ବିଧାୟିକା । ଝାରସୁଗୁଡ଼ାରେ ବେଆଇନ ପାଉଁଶ ପରିବହନ ଲୋକଙ୍କୁ ଅତିଷ୍ଠ କରିଦେଲାଣି । ଏହି ଘଟଣାକୁ ନେଇ ଜନଅସନ୍ତୋଷ ଲାଗି ରହିଥିବା ବେଳେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମଧ୍ୟ ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଝାରସୁଗୁଡ଼ାରେ ଚାଲିଥିବା ବେଆଇନ ପାଉଁଶ ପରିବହନ ଓ ଡମ୍ପିଂ ଘଟଣାକୁ ନେଇ ଲଗାତାର ଖବର ପ୍ରକାଶିତ ହେଉଛି । ଲଖନପୁର ବ୍ଲକ୍ ଦଲଗାଁରେ ପାଉଁଶ ପରିବହନ ଘଟଣାକୁ ନେଇ ଖବର ପ୍ରକାଶ ପାଇଥିଲା ।
ଏହି ଘଟଣା ପରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ଅନୁମତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । ଅଭିଯୋଗ ଅନୁସାରେ, ଝାରସୁଗୁଡ଼ାର ଏକ ଆଲୁମିନିୟମ୍ କମ୍ପାନି ଓ ଏକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନି ବିପୁଳ ମାତ୍ରାରେ ପାଉଁଶ ବାହାର କରୁଛନ୍ତି । ଉକ୍ତ ପାଉଁଶକୁ ଅସୁରକ୍ଷିତ ଉପାୟରେ ପରିବହନ କରିବା ସହ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଡମ୍ପିଂ କରୁଛନ୍ତି । ଲଖନପୁର ବ୍ଲକ ଏକ କୃଷିଭିତ୍ତିକ ଅଞ୍ଚଳ ହୋଇଥିବା ବେଳେ ପାଉଁଶ ଡମ୍ପିଂ ଯୋଗୁ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି । ଏହି ବେଆଇନ ପରିବହନ ଓ ଡମ୍ପି ଘଟଣାକୁ ନେଇ ଗତ ମେ ୨୧ ତାରିଖରେ ଜିଲ୍ଲାପାଳ ନିଜେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ମାତ୍ର ଦୁଃଖର ବିଷୟ ଯେ କମ୍ପାନି ବେଆଇନ୍ ଫ୍ଲାଏଆସ୍ ହ୍ୟାଣ୍ଡଲରଙ୍କୁ ହାତକରି ଖୋଲାଖୋଲି ଭାବେ ଏହାର ଉଲଂଘନ କରୁଥିବା ବିଧାୟିକା ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ଵେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କମ୍ପାନିକୁ ପାଉଁଶ ଡମ୍ପିଂ ପାଇଁ ଅନୁମତି ପ୍ରଦାନ କରିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତ ୨୨ ତାରିଖରେ ଆଲୁମିନିୟମ କମ୍ପାନିକୁ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଫ୍ଲାଏଆସ୍ ଡମ୍ଫ ପାଇଁ ଅନୁମତି ଦେଇଛି । ଯାହା ଦଲଗାଁ ମୌଜାର ୧.୭୪ ଏକର ଜମି ଓ କ୍ୱାରିରେ ପଡ଼ିବ। ଯାହାକି କ୍ୱାରି ଅଞ୍ଚଳଠାରୁ ପ୍ରାୟ ଶହେଗୁଣା ଅଧିକ । ସେପଟେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୌଣସି ସର୍ଭେ କି ଆକଳନ ନକରି ଏହି ଡମ୍ପିଂ ପାଇଁ ଅନୁମତି ଦେଇଥିବା ବି ବିଧାୟିକା ଅଭିଯୋଗ କରିଛନ୍ତି।
0 Comments