ଝାରସୁଗୁଡା ଉପନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳମଧ୍ୟରେ ତେଜିଛି ହିଂସା । ହିଂସାକାଣ୍ଡକୁ ନେଇ ଦୁଇ ଦଳ ମୁହାଁମୁହିଁ । ତେବେ ପ୍ରଶ୍ନ ଏଠି ହିଂସା କରୁଛି କିଏ ? ଶାସକ ବିଜେଡି ଦଳ ନାଁ ବିରୋଧୀ ବିଜେପି ? ଝାରସୁଗୁଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପ୍ରତିଯୋଗିତା ସେତିକି ତିକ୍ତ ହେବାରେ ଲାଗିଛି । ନେତାଙ୍କ ଉପରେ ଆକ୍ରମଣ ହେଉଛି , ଦୁଇ ପକ୍ଷର କର୍ମୀ ଧସ୍ତାଧସ୍ତି ହେଉଛନ୍ତି । ଆଉ କିଏ କାହା ଉପରେ ଆକ୍ରମଣ କଲା ତାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ୍ ର ପର୍ବ ଚାଲିଛି । ଗଣ୍ଡଗୋଳ ପରେ ଝାରସୁଗୁଡ଼ାରେ ଉଭୟ ବିଜେପି ଓ ବିଜେଡ଼ି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ୍ ହୋଇଛନ୍ତି । ପ୍ରଥମେ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ । ତେବେ କିଏ କରୁଛି ହିଂସା ? କିଏ ସୃଷ୍ଟି କରୁଛି ଭୟର ବାତାବରଣ ? ଦୋଷ ଲଦାଲଦି ହେଉଛନ୍ତି ବିଜେପି ବିଜେଡ଼ି । ନିର୍ବାଚନୀ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିଜେଡି କର୍ମକର୍ତ୍ତା ମାନେ ବିରୋଧ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଦୁଇ ଦୁଇ ଥର ହେଲାଣି ଝାରସୁଗୁଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ଟଙ୍କଧର ଙ୍କୁ ବିରୋଧ କରାଯାଇଛି । ଅନ୍ୟପଟେ ଲଇକେରା ନିକ୍ତିମାଲ ଠାରେ ବିଜେପିର ପ୍ରଚାର ସମୟରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଙ୍କ ଉପରେ ପଥର ଓ ଅଣ୍ଡା ମାଡ଼ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଛି । ଆକ୍ରମଣକାରୀ ଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା । ତେବେ ଏହାର କିଛି ସମୟ ପରେ ବିଜେଡି ସମର୍ଥକ ଙ୍କୁ ପ୍ରଲୋଭନ ଦେଖାଇବା ସହିତ ଆକ୍ରମଣ କରାଯାଇଥିବା ଅଭିଯୋଗ କରି ଥାନାରେ ବିଜେଡି ଏତେଲା ଦେଇଥିଲା । ତେବେ ବିଜେଡି ଓ ବିଜେପି ଉଭୟ ଆରୋପ ପ୍ରତ୍ୟାରୋପ ନଈ ରେ ଗତି କରୁଛନ୍ତି । ବିଜେପିକୁ ଲୋକେ ଆଶୀର୍ବାଦ ଦେବାପାଇଁ ଆଗକୁ ଆସୁଥିବା ବେଳେ ଏହି ପରିସ୍ଥିତି ବିଜେଡି ମନରେ ଡର ସୃଷ୍ଟି କରୁଛି ଯାହାପାଇଁ ଏପରି ହିଂସା ଆଚରଣ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ସାମ୍ନାକୁ ଆସୁଛି । ହିଂସାକାଣ୍ଡ ଘଟଣା ପାଇଁ ବିଜେପିକୁ ଦାୟୀକରି ଆସୁଥିବା ବିଜେଡି ଆଜି ସିଧା ସଳଖ ବିଜେପି ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛି । ବିଜେଡି ର ପାଲଟା ଅଭିଯୋଗ ବିଜେପି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଲଢିବ କିନ୍ତୁ ଦଳ ଉପରକୁ କଥା ଆସିଲେ ଦଳ କଡାକଡି ଜବାବ ଦେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ଓ ବିରୋଧୀ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ସେତିକି ତୀବ୍ର ହେଉଛି । ତେବେ ଏହି ସବୁ ଭିତରେ ଦେଖିବାକୁ ରହିଲା ଝାରସୁଗୁଡ଼ାବାସି ନିଜର ବିଧାୟକ ଭାବରେ କାହାକୁ ବାଛୁଛନ୍ତି ।
0 Comments