ଜିଲ୍ଲାରେ ଓଡ଼ିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି(ଏସ୍ଇବିସି) ସର୍ଭେ ଆସନ୍ତା ମେ' ୧୬ରୁ ୧୧ଜୁନ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଏସ୍ଇବିସି ସର୍ଭେ ଗତ ମେ' ୧ତାରିଖରୁ ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡ଼ାରେ ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ସର୍ଭେ ସ୍ଥଗିତ ରଖା ଯାଇଥିଲା। ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ସଚେତନତା ରଥ ପରିଭ୍ରମଣ କରିବ।ଜିଲ୍ଲାରେ ୩୭୭ଟି ସର୍ଭେ ସେଣ୍ଟର ସ୍ଥିର କରାଯାଇଛି। ୩୯୪ଜଣ ଏନୁମୁରେଟର ଓ ୪୦ଜଣ ସୁପରଭାଇଜରଙ୍କୁ ଏଥି ସକାଶେ ନିୟୋଜିତ କରାଯାଇଛି। ସର୍ଭେ ମାଧ୍ୟମରେ ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ଗ୍ରହଣ କରାଯିବ। ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ସର୍ଭେ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ/ସଦସ୍ୟା ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରିପାରିବେ। ସର୍ଭେ ସକାଶେ ପରିବାରର ରାସନ କାର୍ଡ ସହ ସମସ୍ତ ସଦସ୍ୟଙ୍କର ଯେ କୌଣସି ପରିଚୟ ପତ୍ର ଯଥା ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ବା ପ୍ୟାନ କାର୍ଡ ନଚେତ ପାସପୋର୍ଟ ଆବଶ୍ୟକ । ରାସନ କାର୍ଡ ନଥିବା ପଛୁଆ ବର୍ଗ ପରିବାର ସଦସ୍ୟ ମଧ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ପ୍ରଦାନ କରିପାରିବେ। ଅନଲାଇନ(www. oscbc. odisha.gov. in)ରେ ବିନା ମୂଲ୍ୟରେ ମଧ୍ୟ ଫର୍ମ ପୂରଣ କରାଯାଇପାରିବ। 'ମୋ ସେବାକେନ୍ଦ୍ର'ରେ ସ୍ଥିରୀକୃତ ଦେୟ ପ୍ରଦାନ କରି ଅନଲାଇନରେ ଫର୍ମ ପୂରଣ କରି ହେବ। ସର୍ଭେ ସେଣ୍ଟର କିମ୍ବା ଅନଲାଇନ ଯେ କୌଣସି ଗୋଟିଏ ମାଧ୍ୟମରେ ଫର୍ମ ପୂରଣ କରାଯାଇପାରିବ। ସର୍ଭେ ସେଣ୍ଟର ସମ୍ପର୍କରେ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ସୂଚନା ଉପଲବ୍ଧ। ସଚେତନତା ରଥର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଜଗଦୀଶ ଚନ୍ଦ୍ର ମେହେର, ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ।
0 Comments