ବିଧାୟକ ବାଛିଲା ଝାରସୁଗୁଡ଼ା । EVM ମେସିନ ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ । ବାଜି ମାରିବ କିଏ ? କାହା ଭାଗ୍ୟରେ ରହିଛି ଝାରସୁଗୁଡ଼ା ? ସମସ୍ତ ପ୍ରଚେଷ୍ଟା ପରେ ଫଳାଫଳର ରହିଛି ଅପେକ୍ଷା । ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇସାରିଛି । ଧୁ ଧୁ ଖରା ରେ ଯାଇ ଭୋଟର୍ ମାନେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଏହି ଭୋଟ ଗ୍ରହଣରେ ପୁରୁଷ ଭୋଟର୍ ଙ୍କ ତୁଳନାରେ ମହିଳା ଭୋଟର୍ ଅଧିକ ରହିଛନ୍ତି । ମତଦାନ ସରିବା ପରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନେ ନିଜର ବିଜୟକୁ ନେଇ ଆଶାବାଦୀ ଅଛନ୍ତି । ତେବେ ଭୋଟ ଗ୍ରହଣ ଦିନ ସନ୍ଧ୍ୟା ୭ ଟା ସୁଦ୍ଧା ୭୦.୬୦ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ୭ ଟା ସମୟ ପରେ ମଧ୍ୟ କେତୋଟି ବୁଥରେ ଭୋଟ ଗ୍ରହଣ ଚାଲିଥିଲା । ତେବେ ଭୋଟ ଦେବା ପାଇଁ ଯାଉଥିବା ସମୟରେ କାହା ମଥାରେ ଫୁଲ ଚନ୍ଦନ ଲଗେଇ ଦିଆଯାଇଥିଲା ତ ଆଉ କାହା ଉପରେ କରାଯାଉଥିଲା ପାଣି ସ୍ପ୍ରେ । ଭୋଟର ମାନେ ହାତରେ ପରିଚୟ ପତ୍ର ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡ଼ି ରେ ଅପେକ୍ଷାରେ ଥିଲେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ମତଦାତା । ଯୁବ ଠାରୁ ବୟସ୍କ ଅବା ଦିବ୍ୟାଙ୍ଗ ଭୋଟର୍ ୪୦ ଡିଗ୍ରୀ ରୁ ଅଧିକ ତାତିରେ ମଧ୍ୟ ନିଜକୁ ସାମିଲ କରିଥିଲେ ଗଣତନ୍ତ୍ର ର ମହାନ୍ ପର୍ବରେ । ଶାନ୍ତି ଶୃଙ୍ଖଳାର ସହ ସାରିଥିବା ଭୋଟ ଗ୍ରହଣ ପ୍ରକ୍ରିୟାରେ ନିଜ ମନପସନ୍ଦ ର ବିଧାୟକ ପ୍ରାର୍ଥୀଙ୍କୁ ବାଛିଛନ୍ତି ମତଦାତା । ଗ୍ରୀଷ୍ମ ପ୍ରବାହକୁ ଦେଖି କିଛି ବୁଥରେ ସ୍ଵତନ୍ତ୍ର ଆୟୋଜନ କରାଯିବା ସହ ପିଇବା ପାଇଁ ଥଣ୍ଡା ପାଣି , ସର୍ବତ ଓ ଖାଇବା ପାଇଁ ତରଭୁଜର ବ୍ୟବସ୍ଥା କରାଯାଇଥିଲା । ତେବେ ସମସ୍ତ ବିଧାୟକ ପ୍ରାର୍ଥୀ ନିଜର ବିଜୟକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି । ଏବଂ ତାଙ୍କର ଭାଗ୍ୟ ଏବେ ସିଲ୍ ପଡ଼ିଛି EVM ମେସିନରେ । ଆସନ୍ତା ୧୩ ତାରିଖ ଦିନ ଭୋଟ ଗଣତି ପରେ ଜଣାପଡ଼ିବ ଏହି ବିଧାୟକ ଆସନରେ କାହା ନାମ ଲେଖା ଅଛି । ଆଉ ଦୁଇ ଦିନ ପରେ ଭାଗ୍ୟ ନିର୍ଣ୍ଣୟ ହେବ ବିଜୟର ଆଶା ରଖିଥିବା ସମସ୍ତ ପ୍ରାର୍ଥୀଙ୍କର ।
0 Comments