ଝାରସୁଗୁଡ଼ା ରେ ବିଶ୍ୱ ଖାଉଟି ଅଧିକାର ଦିବସ ଉପଲକ୍ଷେ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ବ୍ରଜରାଜନଗର ବିଧାୟିକାଙ୍କ ପ୍ରତିନିଧି ବିଶ୍ୱନାଥ ନାୟକ,ଝାରସୁଗୁଡ଼ା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ସଭାପତି ଜୀଗିଶା ମିଶ୍ର ଓ ବୈଧ ମାପ ବିଜ୍ଞାନ ଉପ ନିୟନ୍ତ୍ରକ ଅଖିଳ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଖାଉଟିର ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଖାଉଟି ଦ୍ୱାରା ଶୁଦ୍ଧ ତଥା ଉପଯୁକ୍ତ ଦ୍ରବ୍ୟ ଓ ସେବା ପାଇବାର ଅଧିକାର, ଦ୍ରବ୍ୟର ପରିମାଣ ତଥା ସମସ୍ତ ତଥ୍ୟ ଜାଣିବାର ଅଧିକାର ଓ ଶୋଷଣ ବିରୋଧରେ ଅଭିଯୋଗ କରିବାର ଅଧିକାର ଆଦି ୬ ଗୋଟି ଅଧିକାର ସମ୍ପର୍କରେ ଆଲୋଚନା ପୂର୍ବକ ଖାଉଟିମାନେ ଠକାମିରେ
ନପଡ଼ିବା ପାଇଁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଖାଉଟି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଖାଉଟି ବିବାଦ ସମାଧାନ ଆୟୋଗ ସଭାପତି ଶ୍ରୀମତୀ ମିଶ୍ର ଖାଉଟି ସୁରକ୍ଷା ଆଇନ ୧୯୮୬ ଓ ସଂଶୋଧିତ ଆଇନ ୨୦୧୯ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରି ଖାଉଟିର ଅଧିକାର କ୍ଷୁର୍ଣ୍ଣ ହେଲେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ଆୟୋଗରେ କିଭଳି ଅଭିଯୋଗ ଦାଖଲ କରାଯାଇପାରିବ , ଆଇନରେ କେଉଁ କେଉଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଉପ ନିୟନ୍ତ୍ରକ ଶ୍ରୀ ପ୍ରଧାନ ନିକିତି, ବୈଦ୍ୟୁତିକ ଓଜନ ମେସିନ ପ୍ରଦର୍ଶନ କରି ଅସାଧୁ ବ୍ୟବସାୟୀମାନେ କିପରି ଖାଉଟିଙ୍କୁ ଶୋଷଣ କରୁଛନ୍ତି ତାହା ବୁଝାଇଥିଲେ । ବିଶେଷତଃ ଗହଣା ଦୋକାନ , ପେଟ୍ରୋଲ ପମ୍ପ ଆଦିରେ ଖାଉଟି ଗୁଣମାନ ଓ ନିରାପତ୍ତା ପ୍ରତି ଯଥେଷ୍ଟ ସଚେତନ ହେବାକୁ କହିଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ବିଦୁର ଚନ୍ଦ୍ର ବଚ୍ଛେର କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ସହକାରୀ ଯୋଗାଣ ଅଧିକାରୀ ସଂତୋଷିନୀ ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କର୍ମଶାଳାରେ ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ,ସ୍ବେଚ୍ଛାସେବୀ ଅନୁଷ୍ଠାନ , ଅଙ୍ଗନବାଡ଼ି କର୍ମୀମାନେ ଯୋଗଦାନ କରିଥିଲେ। ସହକାରୀ ଯୋଗାଣ ଅଧିକାରୀ ଏ. ଏଫ୍. କୁଜୁର, ଜଗନ୍ନାଥ ଭୋଇ,ଯୋଗାଣ ନିରୀକ୍ଷକ ନିହାର ମହାପାତ୍ର, ଦୀପ୍ତିଲତା ବାରିକ,ରାଜକିଶୋର ଜେନା,ମମିତା ବାଘ ଓ ମନୋଜ ସା ପ୍ରମୁଖ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ।
0 Comments