ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ପୀଠ ତଥା ଗାନ୍ଧି ବିଚାରର ପ୍ରୟୋଗଶାଳା ଝାରସୁଗୁଡ଼ା ଉପକଣ୍ଠ ପଞ୍ଚପଡ଼ା ଠାରେ ଗାନ୍ଧି ବିଚାର ମଞ୍ଚ ଝାରସୁଗୁଡ଼ା ଓ ପଞ୍ଚପଡ଼ା ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମରେ ୧୯୩୪ ମସିହାର ଗାନ୍ଧି ନୂଆଁଖାଇକୁ ସ୍ମରଣ କରିବା ପାଇଁ ଏକ ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ଯୋଗଦେଇ ସ୍ଵାଧୀନତା ସଂଗ୍ରାମରେ ଝାରସୁଗୁଡ଼ା ଜିଲ୍ଲାର ଅବଦାନ ତଥା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଚିନ୍ତାମଣି ପୁଝାରୀ କିପରି ଭାବରେ ପଞ୍ଚପଡ଼ାକୁ ଏକ ଗାନ୍ଧି ବିଚାରର ପ୍ରୟୋଗଶାଲା ଭାବରେ ନିର୍ମାଣ କରି ହରିଜନ ଆନ୍ଦୋଳନ, ସୂତକଟା, ଅହିଂସା, ସ୍ବାବଲମ୍ବୀ ହେବାର ପ୍ରକ୍ରିୟା ଆରମ୍ଭ କରିଥିଲେ ତାର ଅବତାରଣା କରିଥିଲେ। ଆଗମୀ ଦିନରେ ବମ୍ବେ ଛକ ଠାରୁ ପଞ୍ଚପଡ଼ା ଗ୍ରାମ ପର୍ଯ୍ୟନ୍ତ ଚିନ୍ତାମଣି ପୁଝାରୀ ମାର୍ଗ ତଥା ପଞ୍ଚପଡ଼ାକୁ ଏକ ଆଦର୍ଶ ଗ୍ରାମ ଓ ଗାନ୍ଧି ସ୍ମାରକୀର ଏକ ପିଠ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ସମ୍ମାନିତ ଅତିଥି ଭାବରେ ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ ଯୋଗଦେଇ ଆଗାମୀ ଦିନରେ ପଞ୍ଚପଡ଼ାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ବରିଷ୍ଠ ଇଂରାଜୀ ପ୍ରାଧ୍ୟାପିକା ଡ ସ୍ଵର୍ଣ୍ଣମୟୀ ପୁରୋହିତ ଓ ସମ୍ମାନିତ ଅତିଥି ଭାବରେ ସୀମାନ୍ତର ଭାଷା ପ୍ରହରୀ ଶ୍ରୀ କ୍ଷମାସାଗର ଭୋଇ ଯୋଗଦେଇଥିଲେ। ଗାନ୍ଧି ବିଚାର ମଞ୍ଚର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ମେହେବୁବ ମେହେତାଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଗାନ୍ଧି ବିଚାର ମଞ୍ଚର ଆବାହକ ପ୍ରାଧ୍ୟାପକ ତପନ କୁମାର ବାରିକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପଞ୍ଚପଡ଼ା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରୁପାନନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସମଗ୍ର ଗ୍ରାମରେ ପୂର୍ଣ୍ଣକୁମ୍ଭ, ଝୋଟି, ଆମ୍ବ ତୋରଣ ଦେଇ କୀର୍ତ୍ତନ ଦ୍ଵାରା ଅତିଥି ମାନଂକୁ ଗ୍ରାମ ପରିଭ୍ରମଣ କରାଯାଇଥିଲା। ଜିଲ୍ଲାପାଲ ନିଜ ହାତରେ ସମସ୍ତ ଜାତିର ଲୋକଙ୍କୁ ଅନ୍ନ ପ୍ରାସାଦ ବଣ୍ଟନ କରିଥିଲେ। ଜିଲ୍ଲା ବନ ବିଭାଗ ପକ୍ଷରୁ ଏକଶହ ନଡ଼ିଆ ଚାରା ବଣ୍ଟନ କରାଯାଇଥିଲା। ଝାରସୁଗୁଡ଼ା ନବୋଦୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
0 Comments