ଜିଲ୍ଲାରେ 'ବିଜୟିନୀ' ଅଭିଯାନକୁ ସଫଳତାର ସହ ଲକ୍ଷ୍ୟ ପଥରେ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ କାର୍ଯ୍ୟଖସଡ଼ା ଅନୁସାରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି । ଶିକ୍ଷା ବିଭାଗ, ପୋଲିସ ବିଭାଗ , ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଲୋଚନା ବୈଠକ ଆଦି ଅନୁଷ୍ଠିତ ହୋଇଛି। ଚଳିତ ନଭେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ଏହି ସମସ୍ତ ସଚେତନତା କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଛି ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନେଯୋଗଦେଇଥିଲେ । ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟମାନଙ୍କରେ ମଧ୍ୟ ଏହିଭଳି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାର ସମସ୍ତ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କର ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା l ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବାଲ୍ୟବିବାହର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସବୁ ଥାନାରେ ଅନୁଷ୍ଠିତ ବୈଠକରେ ସ୍ୱୟଂ ସହାୟ ଗୋଷ୍ଟୀର ସଦସ୍ୟା , ଅଙ୍ଗନବାଡ଼ି କର୍ମଚାରୀ ଓ କିଶୋର କିଶୋରୀ ମାନେ ଯୋଗ ଦେଇଥିଲେ । କିଶୋର କିଶୋରୀମାନଙ୍କର ସଶକ୍ତିକରଣ ପାଇଁ ଅଦଭିକା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ବିଜୟିନୀ କାର୍ଯ୍ୟକ୍ରମରେ ପୋକ୍ସ ଆକ୍ଟ,ଜେଜେ ଆକ୍ଟ,ପିସିଏମ୍ ଆକ୍ଟ ସହ ବାଲ୍ୟବିବାହକୁ ଉତ୍ସାହିତ କରୁଥିବା ବ୍ୟକ୍ତି , ଗୋଷ୍ଠୀ ଓ ସମୂହ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ସମସ୍ତ ଆଲୋଚନା ବୈଠକ ଅବସରରେ ସମସ୍ତେ ପ୍ରତିଜ୍ଞା ପତ୍ର ପାଠ ପୂର୍ବକ ବାଲ୍ୟବିବାହକୁ ନିରୁତ୍ସାହିତ କରିବା ସକାଶେ ଶପଥ ଗ୍ରହଣ କରିଥିଲେ । ଅଦଭିକା ଆପ୍ସ ବ୍ୟବହାର ଦ୍ୱାରା ଯୁବକ ଯୁବତୀମାନେ କିପରି ଉପକୃତ ହେବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ବାଲ୍ୟବିବାହକୁ ନା କହିବା ଏହି ବାର୍ତ୍ତା ଯେପରି ଜିଲ୍ଲାର ପ୍ରତି ଘରେ , ପ୍ରତ୍ୟେକ କିଶୋର କିଶୋରୀ , ବିଭିନ୍ନ ଜାତି ଓ ସମାଜ ମୁଖ୍ୟମାନଙ୍କ ପାଖରେ ପହଞ୍ଚିବ ସେ ଦିଗରେ ସମସ୍ତେ ବ୍ୟକ୍ତିଗତ ତଥା ସାମୁହିକ ଭାବରେ ସଚେତନତା ସୃଷ୍ଟି କରିବାକୁ ଶପଥ ଗ୍ରହଣ କରିଥିଲେ । ପଥପ୍ରାନ୍ତ ନାଟକ , ଚିତ୍ରକଳା ପ୍ରତିଯୋଗିତା ଓ ଗୋଷ୍ଠୀ/ସମାଜ ସହ ମତ ବିନିମୟ ମାଧ୍ୟମରେ ବାଲ୍ୟବିବାହ ନିରାକରଣ ଦିଗରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯାଇଥିଲା।ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ନେହା ଦାସ, ଜିଲ୍ଲା ସଂଯୋଜିକା (ବାଲ୍ୟ ବିବାହ) ରଂଜିତା ଦାଶ ଆକ୍ସନ ଏଡ୍ ଓ ୟୁନିସେଫର ଅଧିକାରୀ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ,ଜୟନ୍ତ ବାଦୀ , ଥାନା ଭାରପ୍ରାପ୍ତ ଅଧିକାରୀ ,ସୁରକ୍ଷା ଅଧିକାରୀ ବୃନ୍ଦାବତୀ ପଣ୍ଡା , ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ସୁପର ଭାଇଜର, ଅଙ୍ଗନବାଡ଼ି କର୍ମଚାରୀ ପ୍ରମୁଖ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
0 Comments