ଝାରସୁଗୁଡ଼ା, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ବଢ଼େଇମୁଣ୍ଡାସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇ ଟି ଆଇ) ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅନୁଷ୍ଠାନର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହ ସେ ଆଇ.ଟି.ଆଇ.ର ଅଧ୍ୟକ୍ଷ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଆଲୋଚନା ସମୟରେ ଅନୁଷ୍ଠାନର ଛାତ୍ର ଓ ଛାତ୍ରୀମାନଙ୍କ ରହିବା ପାଇଁ ହଷ୍ଟେଲ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସୂଚନା ଅନୁସାରେ, ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ ଆଇ.ଟି.ଆଇ. ପରିସରରେ ନୂତନ ଛାତ୍ର ଓ ଛାତ୍ରୀ ନିବାସ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ଏହାବ୍ୟତୀତ, ଛାତ୍ରଛାତ୍ରୀଙ୍କ ବୈଷୟିକ ଜ୍ଞାନକୌଶଳର ବୃଦ୍ଧି ପାଇଁ ଅନୁଷ୍ଠାନରେ ଏକ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଆଇ.ଟି.ଆଇ. ଅଧ୍ୟକ୍ଷ ଜିଲ୍ଲାପାଳଙ୍କ ନିକଟରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଅନ୍ୟପଟେ, ସ୍ଥାନୀୟ ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ଆଇ.ଟି.ଆଇ.ର ସୃଜନଶୀଳତାକୁ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଝାରସୁଗୁଡ଼ା ପୌରପାଳିକା ଅଞ୍ଚଳକୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର କରିବା ପାଇଁ ବେଷ୍ଟ-ଆଉଟ୍-ଅଫ୍-ୱେଷ୍ଟ (ବର୍ଜ୍ୟବସ୍ତୁରୁ ସୁନ୍ଦର ସାମଗ୍ରୀ) କିମ୍ବା କୌଣସି ଅଭିନବ କଳାକୃତି/ମଡେଲ ପ୍ରସ୍ତୁତ କରିବାକୁ ସେ ଅନୁଷ୍ଠାନର କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଆଇ.ଟି.ଆଇ.ର ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


0 Comments