ମାନ୍ୟବର ସାଂସଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ 'ଦିଶା' ବୈଠକ ଅନୁଷ୍ଠିତ*

 

ଝାରସୁଗୁଡ଼ା ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ ସମିତି (DISHA) ର ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତି ତୁଳାବତୀ ମିଞ୍ଜ, ମାନ୍ୟବର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରଟିନିଥି ଶ୍ରୀ ନଭଲ ଅଗ୍ରୱାଲ, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ନାୟକ ଏହି ସଭାକୁ ପରିଚାଳନା କରିଥିଲେ।

ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ବୈଠକରେ ଜିଲ୍ଲା ପ୍ରଶାସନକୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଜିଲ୍ଲାର ସମସ୍ତ ପୁରାତନ ପୋଖରୀର ମରାମତି ଓ ପୁନରୁଦ୍ଧାର ସହ ଜଳ ସଂରକ୍ଷଣ ପାଇଁ ନୂତନ ଜଳାଶୟ ଖନନ ଉପରେ ଗୁରୁତ୍ୱାରୋପ କରାଯାଇଛି । ସେହିପରି ଜିଲ୍ଲାରେ ବେଆଇନ ଭାବେ ପାଉଁଶ ଫିଙ୍ଗିବା ବା 'ଇଲିଗାଲ୍ ଆସ୍ ଡମ୍ପିଂ' ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ସହ ନିୟମ ଉଲ୍ଲଂଘନକାରୀ ଶିଳ୍ପ ସଂସ୍ଥାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ପଷ୍ଟ କରାଯାଇଛି । ଏଥିସହ ପରିବେଶର ସନ୍ତୁଳନ ରକ୍ଷା ନିମନ୍ତେ ବ୍ୟାପକ ବୃକ୍ଷରୋପଣ କରିବା ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାରେ ଦେଖାଯାଉଥିବା ଜଳାଭାବ, ବେଆଇନ ପାଉଁଶ ଫିଙ୍ଗିବା ଏବଂ ଶିଳ୍ପାଞ୍ଚଳରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଉପରେ ଗଭୀର ଚିନ୍ତା ପ୍ରକଟ କରିଥିଲେ।

ଏହି ଅବସରରେ ଶିଳ୍ପ ସଂସ୍ଥାଗୁଡ଼ିକର ଦାୟିତ୍ୱହୀନତାକୁ ନେଇ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରି ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ଯେ, "ଝାରସୁଗୁଡ଼ା ଜିଲ୍ଲାର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ସମାଜ ଓ ପରିବେଶ ପ୍ରତି ନିଜର ଦାୟିତ୍ୱକୁ କଦାପି ଏଡ଼ାଇ ଯାଇପାରିବେ ନାହିଁ। ସମସ୍ତ କମ୍ପାନୀ ସେମାନଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ବୃକ୍ଷରୋପଣ ଲକ୍ଷ୍ୟ (Plantation Target) କୁ ବାଧ୍ୟତାମୂଳକ ଭାବେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ କାଗଜପତ୍ରରେ ନୁହେଁ, ବରଂ କ୍ଷେତ୍ରସ୍ତରରେ ଏହା ଦୃଶ୍ୟମାନ ହେବା ଆବଶ୍ୟକ। ଜିଲ୍ଲାର ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବ୍ୟାପକ ସବୁଜିମା ସୃଷ୍ଟି କରିବା ସେମାନଙ୍କର ଅନିର୍ବାଯ୍ୟ କର୍ତ୍ତବ୍ୟ। ଏଥିସହ ବେଆଇନ ଭାବେ ପାଉଁଶ ଫିଙ୍ଗୁଥିବା ସଂସ୍ଥାମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।"

ସେହିପରି ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ  କହିଛନ୍ତି, "ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ବସ୍ତିରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କୁ ସ୍ଥାୟୀ ଛାତ ଯୋଗାଇବା ଆମର ପ୍ରାଥମିକତା। ମୁଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଉଛି ଯେ, ଜିଲ୍ଲାରେ ସ୍ୱଳ୍ପମୂଲ୍ୟରେ 'ସୁଲଭ ଆବାସ ଯୋଜନା' (Affordable Housing Projects) ପ୍ରସ୍ତୁତ କରିବା ଦିଗରେ ନିଷ୍ଠାପର ପଦକ୍ଷେପ ନିଅନ୍ତୁ, ଯଦ୍ଦ୍ୱାରା ବସ୍ତିବାସିନ୍ଦାମାନେ ନ୍ୟୂନତମ ମୂଲ୍ୟରେ ଉନ୍ନତ ଓ ସୁରକ୍ଷିତ ବାସଗୃହ ପାଇପାରିବେ। ଏହା ସହିତ ଝାରସୁଗୁଡ଼ାରୁ ଲାଭ କମାଉଥିବା କମ୍ପାନୀମାନେ ନିଜର CSR ପାଣ୍ଠି ଖର୍ଚ୍ଚ କରିବାରେ ଅବହେଳା ନକରି ତୁରନ୍ତ ପାଣ୍ଠି ବ୍ୟୟ ନିୟମାବଳୀକୁ କୋହଳ କରନ୍ତୁ। ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପ୍ରତିଟି ପ୍ରକଳ୍ପକୁ ସମୟସୀମା ମଧ୍ୟରେ ସାରିବାକୁ ହେବ, ଯେପରି କୌଣସି ଅର୍ଥ ଅବ୍ୟବହୃତ ହୋଇ ପଡ଼ି ନରହେ।"

ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଆମ ଜିଲ୍ଲାର ଝିଅମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରଶାସନ ସଂକଳ୍ପବଦ୍ଧ ହେବା ଆବଶ୍ୟକ। ହସ୍ପିଟାଲରେ ଜନ୍ମ ହେଉଥିବା ପ୍ରତିଟି କନ୍ୟା ସନ୍ତାନକୁ 'ସୁକନ୍ୟା ସମୃଦ୍ଧି ଯୋଜନା'ରେ ସାମିଲ କରିବାକୁ ମୁଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଉଛି। ଶିଶୁ କନ୍ୟା ଜନ୍ମ ହେବା ମାତ୍ରେ ହସ୍ପିଟାଲରେ ହିଁ ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା କରାଯାଉଥିବା CSR କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ପାଣ୍ଠି ବ୍ୟୟ ନିୟମାବଳୀକୁ କୋହଳ କରିବା ପାଇଁ ଶିଳ୍ପ ସଂସ୍ଥାମାନଙ୍କୁ କୁହାଯାଇଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ସ୍ତରୀୟ ସମସ୍ତ ବରିଷ୍ଠ ଅଧିକାରୀ ଓ ଏମ ସି ଏଲ ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done