ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ମୋଡରେ ସିବିଆଇ । ସାରା ଦେଶରେ ଚାଲିଛି ମେଗା ସର୍ଚ୍ଚ ଅପରେସନ୍ । ନିର୍ଦ୍ଦୋଷ ଘର କ୍ରେତାଙ୍କୁ ଶୋଷଣ କରୁଥିବା ଏବଂ ଆର୍ଥିକ ଠକେଇ କରୁଥିବା ବିଲଡର-ବ୍ୟାଙ୍କ ଅଧିକାରୀଙ୍କ ବିରୁଦ୍ଧରେ ସିବିଆଇ ଦ୍ୱାରା ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ, ସିବିଆଇ ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୭୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ବିଲଡର ଏବଂ ଆର୍ଥିକ ସଂସ୍ଥାର ଅଧିକାରୀଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟର ପର୍ଦ୍ଦାଫାସ ହେବ ବୋଲି ଜଣାପଡିଛି । ଗୃହ ନିର୍ମାଣ କ୍ଷେତ୍ରରେ ବ୍ୟାପକ ଆର୍ଥିକ ଅନିୟମିତତା ଏବଂ ପାଣ୍ଠି ହେରଫେର ମାମଲାରେ ସିବିଆଇ ୨୨ଟି ନୂତନ ମାମଲା ପଞ୍ଜୀକୃତ କରିଛି । ଏହି ସମନ୍ୱିତ ସର୍ଚ୍ଚ ଅପରେସନ୍ ସମୟରେ ଅନେକ ଆପତ୍ତିଜନକ ଦସ୍ତାବିଜ୍ ,ଡିଜିଟାଲ୍ ଉପକରଣ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରାଯାଇଛି । ଏହି ଜିନିଷ ଗୁଡ଼ିକର ଯାଞ୍ଚ ପରେ ଏକ ବଡ଼ ଷଡ଼ଯନ୍ତ୍ରର ପଞ୍ଜୀକରଣ ହେବାର ସମ୍ଭାବନା ରହିଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୮ଟି ମାମଲା ପଞ୍ଜିକୃତ ହୋଇଥିଲା । ଯାହାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୋଟ ମାମଲା ସଂଖ୍ୟା ୫୦ରେ ପହଞ୍ଚିଛି । ରିଅଲ୍ ଇଷ୍ଟେଟରେ ସ୍ୱଚ୍ଛତା ଆଣିବା ଏବଂ ଠକେଇ ହୋଇଥିବା ଘର କ୍ରେତାଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ଏହି ତଦନ୍ତକୁ ତ୍ୱରାନ୍ୱିତ କରୁଥିବା ନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।


0 Comments