ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏଚ୍.ପି.ଭି (HPV) ଟୀକାକରଣ ଅଭିଯାନର ଶୁଭାରମ୍ଭ*


 -ଜିଲ୍ଲାର ୪,୪୪୨ ରୁ ଉର୍ଦ୍ଧ୍ବ କିଶୋରୀଙ୍କୁ ମିଳିବ ଜରାୟୁ କର୍କଟ ବିରୋଧୀ ‘ସୁରକ୍ଷା କବଚ’

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ଚାଲିଥିବା ଏଚ୍.ପି.ଭି (HPV) ଟୀକାକରଣ ଅଭିଯାନର ଏକ ଅଂଶସ୍ୱରୂପ, ଆଜି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜନହିତକର ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିଥିଲେ।

ଏଥିସହ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମହେଶ ମୋହନ ପଣ୍ଡା ଉପସ୍ଥିତ ଥିଲେ।

ଏହି ଅବସରରେ ମଙ୍ଗଳ ବଜାର ସ୍ଥିତ ସାଟେଲାଇଟ୍ ହସ୍ପିଟାଲ ପାଇଁ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଏକ ଇ.ସି.ଜି ମେସିନ ମଧ୍ୟ ପ୍ରଦାନ କରିଥିଲେ।

ଏହି ଅଭିଯାନ ଅଧୀନରେ ୧୪ ରୁ ୧୫ ବର୍ଷ ବୟସର କିଶୋରୀମାନଙ୍କୁ ଏହି ଟୀକା ପ୍ରଦାନ କରାଯାଉଛି, ଯାହା ସେମାନଙ୍କୁ ଭବିଷ୍ୟତରେ ସର୍ଭିକାଲ କ୍ୟାନ୍ସର ବା ଜରାୟୁ ଗ୍ରୀବା କର୍କଟ ରୋଗରୁ ସୁରକ୍ଷା ଦେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ରାଜ୍ୟର ପ୍ରାୟ ୩.୩୬ ଲକ୍ଷ କିଶୋରୀଙ୍କୁ ଏହି ଟୀକାକରଣରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ପ୍ରାୟ ୪,୪୪୨ ରୁ ଉର୍ଦ୍ଧ୍ବ କିଶୋରୀଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ଏଥିପାଇଁ ଜିଲ୍ଲାରେ ୬୫୦ ଆଶା କର୍ମୀ, ୫୨ ଜଣ ଟୀକାକାରୀ (Vaccinator) ଓ ସମସ୍ତ ମେଡିକାଲ ଅଫିସରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ଆମ ରାଜ୍ୟର ଭଉଣୀ ଓ କିଶୋରୀମାନେ ସର୍ବଦା ସୁଦୃଢ଼, ସଶକ୍ତ ଏବଂ ସ୍ୱାବଲମ୍ବୀ ହୋଇ ରହିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ହିଁ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ବ୍ୟାପକ ଏଚ୍.ପି.ଭି ଟୀକାକରଣ ଅଭିଯାନ ଜରାୟୁ ଗ୍ରୀବା କର୍କଟ ରୋଗ ବିରୋଧରେ ଆମର ଏକ 'ଅମୋଘ ଅସ୍ତ୍ର' ସଦୃଶ କାର୍ଯ୍ୟ କରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଏହି ଟୀକାକରଣ ଅଭିଯାନ ଆମକୁ ଏହି ଯୁଦ୍ଧରେ ନିଶ୍ଚିତ ଭାବେ ବିଜୟୀ କରାଇବ। ପ୍ରତିଟି କିଶୋରୀଙ୍କୁ ଏହି ସୁରକ୍ଷା କବଚ ପ୍ରଦାନ କରିବା ସହ କ୍ୟାନ୍ସର ମୁକ୍ତ ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସେହିପରି ଏହି ଅବସରରେ ଝାରସୁଗୁଡ଼ା ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ନିଜ ଅଭିଭାଷଣରେ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲାରେ ଏହି HPV ଟୀକାକରଣ ଅଭିଯାନ ନିଶ୍ଚିତ ରୂପେ ସଫଳ ହେବ। ମାତୃଶକ୍ତିର ସୁରକ୍ଷା ହିଁ ସମାଜର ପ୍ରକୃତ ପ୍ରଗତିର ପରିଚୟ। ସରକାରଙ୍କର ଏହି ଜନହିତକର ପଦକ୍ଷେପ ଜରିଆରେ ଆମେ ପ୍ରତିଟି ପରିବାର ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଜରାୟୁ ଗ୍ରୀବା କର୍କଟ ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ସଂକଳ୍ପବଦ୍ଧ। ଜିଲ୍ଲାର ପ୍ରତିଟି ଯୋଗ୍ୟ କିଶୋରୀ ବାଳିକାଙ୍କୁ ଏହି ଅଭିଯାନରେ ସାମିଲ କରିବା ଦିଗରେ ଆମର ଏହି ମିଳିତ ଉଦ୍ୟମ ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମହେଶ ମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done