ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଏଲ୍.ଏନ୍ କଲେଜ ପରିସରରେ "ସୂଚନା ଅଧିକାର ଅଧିନିୟମ-୨୦୦୫" ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ "ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୂଚନା ଅଧିକାର ନାଗରିକଙ୍କୁ ସଶକ୍ତ କରେ କି?" ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ନିଜର ଓଜସ୍ୱିନୀ ଭାଷଣ ପ୍ରଦାନ କରିଥିଲେ।
ଏହି ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାର ଇଂରାଜୀ ବିଭାଗରେ ଏଲ୍.ଏନ୍. କଲେଜର ଆରତୀ ଚୌରାସିଆ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ବ୍ରଜରାଜନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୋମଳ ଚୌଧୁରୀ ଦ୍ୱିତୀୟ ଏବଂ ବେଲପାହାଡ଼ ଡିଗ୍ରୀ କଲେଜର ସୁସ୍ମିତା ପଣ୍ଡା ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଓଡ଼ିଆ ବିଭାଗରେ ବ୍ରଜରାଜନଗର ଡିଗ୍ରୀ କଲେଜର ଭାରତୀ ହାତୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଏଲ୍.ଏନ୍. କଲେଜର ବର୍ଷାରାଣୀ ପ୍ରିୟଦର୍ଶିନୀ ନାୟକ ଦ୍ୱିତୀୟ ଏବଂ କୋଲାବିରା ପି.ଏସ୍. ଡିଗ୍ରୀ କଲେଜର ସୁହାନା ଭୋଇ ତୃତୀୟ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି।
ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୭ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡି ଏମ ଏଫ୍ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସୂଚନା ଅଧିକାର ଅଧିନିୟମ-୨୦୦୫ ଅନ୍ତର୍ଗତ ସ୍ୱତନ୍ତ୍ର କର୍ମଶାଳାରେ ଜିଲ୍ଲାପାଳଙ୍କ ଦ୍ୱାରା ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ଯଥାକ୍ରମେ ୧୫୦୦, ୧୦୦୦ ଏବଂ ୫୦୦ ଟଙ୍କାର ନଗଦ ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।
ଏଲ. ଏନ୍ କଲେଜର ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇଲେକ୍ଟୋରାଲ୍ ଲିଟେରାସି କ୍ଲବର ନୋଡାଲ ଅଫିସର ତଥା ଏଲ୍.ଏନ୍ କଲେଜର ଜନ ସୂଚନା ଅଧିକାରୀ ଡକ୍ଟର ସୁଚରିତା ଦାଶ ସଂଯୋଜନା କରିଥିଲେ। ବିଚାରକ ଭାବେ ଡକ୍ଟର ସ୍ଵର୍ଣ୍ଣମୟୀ ପୁରୋହିତ, ଶ୍ରୀ ତପନ କୁମାର ବାରିକ ଏବଂ ଡକ୍ଟର ଗୀତାରାଣୀ ଦୀକ୍ଷିତ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ।


0 Comments