୩୩ ବର୍ଷ ତଳର ଝାରସୁଗୁଡା ଗୁଳିକାଣ୍ଡ କୁ ନେଇ ହାଇକୋର୍ଟରେ ଆଜୀବନ କାରାଦଣ୍ଡାଦେଶ | ଦୀର୍ଘ ୩୩ ବର୍ଷ ତଳର ବହୁଚର୍ଚ୍ଚିତ ଝାରସୁଗୁଡ଼ା ଶ୍ରୀନିବାସ ଯାଦବ ହତ୍ୟା ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡାଦେଶକୁ ବଳବତ୍ତର ରଖିଛନ୍ତି। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ବିରୋଧରେ ଆଗତ ଆବେଦନକୁ ଖାରଜ କରି କୋର୍ଟ ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିବା ସହ ତୁରନ୍ତ ଗିରଫ କରି ବାକି ସଜା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଅନୁଯାୟୀ, ୧୯୯୨ ଅଗଷ୍ଟ ୬ ତାରିଖ ରାତି ପ୍ରାୟ ୯ଟାରେ ଝାରସୁଗୁଡ଼ା ଷ୍ଟେସନ ସ୍କୋୟାର ନିକଟରେ କ୍ଷୀର ଦେଇ ଫେରୁଥିବା ବେଳେ ସିଂହାସନ ଯାଦବ ଓ ଶ୍ରୀନିବାସ ଯାଦବଙ୍କ ଉପରେ ଅଭିଯୁକ୍ତ ରାମବାବୁ ସାହୁ ଓ ଭୂଷଣ ସାହୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀନିବାସଙ୍କୁ ଗୁଳି କରାଯାଇଥିଲା, ଯାହାଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଚାରପତି ମାନସ ରଞ୍ଜନ ପାଠକ ଏବଂ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ମୃତକଙ୍କ ମୃତ୍ୟୁକାଳୀନ ଜବାନବନ୍ଦୀକୁ ଗୁରୁତ୍ୱ ଦେଇ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି। ବାଲିଷ୍ଟିକ ରିପୋର୍ଟରେ ସାମାନ୍ୟ ତ୍ରୁଟି ଥିଲେ ମଧ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଳିଷ୍ଠ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।


0 Comments