ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ କରକମଳରେ ୧୪୧ ଟି ଆଧୁନିକ ଧାନ ମଣ୍ଡିର ଲୋକାର୍ପଣ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରାୟ ୭୨.୧୭ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଚାଷୀମାନଙ୍କୁ ଧାନ ବିକ୍ରୟ ଓ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ ସହାୟତା ପ୍ରଦାନ କରିବ। ଏହି ଅଭିଯାନରେ ଝାରସୁଗୁଡ଼ା ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଛି. ବିଶେଷ କରି ଝାରସୁଗୁଡ଼ା ଜିଲ୍ଲାର ୭ଟି ପ୍ରାଥମିକ କୃଷି ସମବାୟ ସମିତି ଏହି ଆଧୁନିକୀକରଣ ଯୋଜନାରେ ଅନ୍ତର୍ଭୁକ୍ତ ରହିଛି, ଯାହା ଜିଲ୍ଲାର କୃଷକମାନଙ୍କୁ ସିଧାସଳଖ ଉପକୃତ କରିବ। ଏହି ଆଧୁନିକ ଧାନମଣ୍ଡିଗୁଡ଼ିକରେ ଉନ୍ନତ ଗୋଦାମ ଗୃହ, ପରିଚାଳନା ବ୍ୟବସ୍ଥା ଏବଂ ଚାଷୀଙ୍କ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ରହିଛି। ଗତ ୬ ମାର୍ଚ୍ଚ ୨୦୨୬ରେ ମାନ୍ୟବର କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଝାରସୁଗୁଡ଼ା ଜିଲ୍ଲାର ୭ଟି ପ୍ରାଥମିକ କୃଷି ସମବାୟ ସମିତି (PACS) ଅଧୀନରେ ଥିବା ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକର ଆଭାସି ମାଧ୍ୟମରେ ଆବଶ୍ୟକୀୟ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି।
ଏହି ଅଭିନବ ପ୍ରୟାସ ଦ୍ୱାରା ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ଶୃଙ୍ଖଳିତ ଏବଂ ସୁଗମ ହେବ। ଏହି ପ୍ୟାକ୍ସ (PACS) ଗୁଡ଼ିକରେ ନୂତନ ଭିତ୍ତିଭୂମି ନିର୍ମାଣ ହେବା ଫଳରେ ଧାନ ମହଜୁଦ ରଖିବା ଏବଂ ଏହାର ପରିଚାଳନା କ୍ଷମତାରେ ବୃଦ୍ଧି ଘଟିବ। ଧାନ ବିକ୍ରୟ ସମୟରେ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଏହି କେନ୍ଦ୍ରଗୁଡ଼ିକରେ ଉନ୍ନତ ବୈଷୟିକ ସୁବିଧା ଏବଂ ଭଣ୍ଡାର ଗୃହର ବ୍ୟବସ୍ଥା କରାଯାଇଛି।
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହଙ୍କ ଦ୍ୱାରା ଉଦ୍ଘାଟିତ ଏହି ପ୍ରକଳ୍ପ ଜିଲ୍ଲାର ସମବାୟ ବ୍ୟବସ୍ଥାକୁ ଏକ ନୂତନ ଦିଶା ପ୍ରଦାନ କରିବ। ଏହା ଦ୍ୱାରା କେବଳ ଧାନ ସଂଗ୍ରହ କାର୍ଯ୍ୟ ସହଜ ହେବ ନାହିଁ, ବରଂ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଜିଲ୍ଲା ପ୍ରଶାସନ ଏବଂ ସମବାୟ ବିଭାଗ ପକ୍ଷରୁ ଏହି ଭିତ୍ତିଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସମବାୟ ବିଭାଗର କର୍ମଚାରୀ ଏବଂ ବହୁ ସଂଖ୍ୟକ ଚାଷୀ ଭର୍ଚୁଆଲ୍ ମାଧ୍ୟମରେ ସାମିଲ ହୋଇଥିଲେ।


0 Comments