ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାକୁ ଗୁରୁତର ସହ ଶୁଣିବା ସହ ସେଗୁଡ଼ିକର ସମୟାନୁବର୍ତ୍ତୀ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ସରକାରୀ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବା ଏବଂ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଆଗାମୀ ଦିନରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଆଜିର ଏହି ଶୁଣାଣି ଶିବିରରେ ମୋଟ ୪୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୮ଟି ଗୋଷ୍ଠୀଗତ ଆବେଦନ ହୋଇଥିବା ବେଳେ ୩୩ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଆସନ୍ନ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ସହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଶିବିରରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଲଖନପୁର ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିଥିଲେ।


0 Comments