ରାଜସ୍ୱ ବିଭାଗର ବିଜ୍ଞପ୍ତି: ୧୫ ଦିନ ମଧ୍ୟରେ ମତାମତ ଲୋଡ଼ିଲେ ସରକାର |
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା 'ଓଡ଼ିଆ ଅସ୍ମିତା'ର ଜାଗରଣ ଦିଗରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ବର୍ଷ ଧରି ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଓ ପ୍ରମୁଖ ସ୍ଥାନଗୁଡ଼ିକର ଇଂରାଜୀ ବନାନ ତ୍ରୁଟିପୂର୍ଣ୍ଣ ଥିବାବେଳେ ଏହାକୁ ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରହିଛି। ବିଶେଷକରି ଇଂରେଜ ଶାସନ କାଳରୁ ଚାଲିଆସୁଥିବା କିମ୍ବା ଉଚ୍ଚାରଣଗତ ବିଭ୍ରାଟ ଯୋଗୁଁ ଅପଭ୍ରଂଶ ହୋଇଯାଇଥିବା ନାମଗୁଡ଼ିକୁ ସଜାଡ଼ିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ସରକାରଙ୍କ ପ୍ରସ୍ତାବିତ ତାଲିକା ଅନୁଯାୟୀ, ବର୍ତ୍ତମାନ ପ୍ରଚଳିତ ଇଂରାଜୀ ବନାନ ଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯିବ। ଯେପରିକି, ଖୋର୍ଦ୍ଧା ଜିଲ୍ଲାର ଇଂରାଜୀ ବନାନ 'Khurda' ବଦଳରେ 'Khoradha' ହେବ ଏବଂ ଏହାର ସଦର ମହକୁମା ସମେତ ବୋଲଗଡ଼ (Bolagada), ବାଣପୁର (Banapur) ଓ ଜଟଣୀ (Jatani)ର ବନାନ ମଧ୍ୟ ବଦଳିବ। ସେହିପରି ଅନୁଗୋଳର ଇଂରାଜୀ ନାମ 'Angul' ପରିବର୍ତ୍ତେ 'Anugol' ଏବଂ ପାଲଲହଡ଼ାକୁ 'Palalahada' କରାଯିବ। ବାଲେଶ୍ୱର ଜିଲ୍ଲା ପାଇଁ ବ୍ୟବହୃତ 'Balasore' ଏଣିକି 'Baleshwar' ଓ ନୀଳଗିରି ପାଇଁ 'Nilgiri' ବଦଳରେ 'Nilagiri' ଲେଖାଯିବ। କଟକ ଜିଲ୍ଲାର ଆଠଗଡ଼, ସାଲେପୁର ଓ ବଡ଼ମ୍ବା ଭଳି ସ୍ଥାନର ବନାନ ଯଥାକ୍ରମେ 'Athagad', 'Salepur' ଓ 'Badamba' ଭାବେ ସଂଶୋଧିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲା କ୍ଷେତ୍ରରେ 'Kendrapara' ବନାନକୁ ବଦଳାଇ 'Kendrapada' କରାଯିବା ସହ ଆଳି (Ali) ଓ ମହାକାଳପଡ଼ା (Mahakalapada)ର ବନାନ ମଧ୍ୟ ସଠିକ୍ ଓଡ଼ିଆ ଉଚ୍ଚାରଣ ଭିତ୍ତିରେ ସ୍ଥିର କରାଯାଇଛି।
ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାର ନାମ 'Keonjhar'ରୁ ବଦଳି 'Kendujhar' ହେବ ଏବଂ ଏହା ଅଧୀନସ୍ଥ ବଡ଼ବିଲ (Badbil) ଓ କେନ୍ଦୁଝରଗଡ଼ (Kendujhargarh)ର ବନାନରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ସମ୍ବଲପୁରର ରେଢ଼ାଖୋଲକୁ 'Redhakhol', ଦେବଗଡ଼କୁ 'Debagarh' ଓ ରିଆମାଳକୁ 'Riamal' ଭାବେ ନାମିତ କରାଯିବ। ମାଲକାନଗିରିର ପଡ଼ିଆ ବ୍ଲକର ବନାନ 'Podia'ରୁ 'Padia' ଏବଂ କନ୍ଧମାଳର ଫୁଲବାଣୀ ଅଞ୍ଚଳ ପାଇଁ ବ୍ୟବହୃତ 'Khondmal' ବା 'Phulbani'କୁ ସଜାଡ଼ି 'Kandhamal' କରିବାକୁ ପ୍ରସ୍ତାବ ଦିଆଯାଇଛି। ନୟାଗଡ଼ ଜିଲ୍ଲା କ୍ଷେତ୍ରରେ 'Nayagarh' ବଦଳରେ 'Nayagada' ଏବଂ ଦଶପଲ୍ଲା ପାଇଁ 'Dashapalla' ବନାନ ବ୍ୟବହାର ହେବ।
ଏହି ସଂଶୋଧନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ସରକାର ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି। ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନର କୌଣସି ଯୁକ୍ତିଯୁକ୍ତ ଆପତ୍ତି ବା ପରାମର୍ଶ ଥାଏ, ତେବେ ସେମାନେ ରାଜସ୍ୱ ବିଭାଗକୁ ଲିଖିତ ଭାବେ ଜଣାଇପାରିବେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ଆପତ୍ତି ନଆସିଲେ, ପ୍ରସ୍ତାବିତ ନାମଗୁଡ଼ିକୁ ସରକାରୀ ଭାବେ ଗ୍ରହଣ କରାଯିବ। ଏହାପରେ ରାଜ୍ୟର ସମସ୍ତ ସରକାରୀ ଦସ୍ତାବିଜ, ମାନଚିତ୍ର, ରେକର୍ଡ, ସାଇନ୍ ବୋର୍ଡ ଏବଂ ୱେବସାଇଟ୍ରେ ନୂତନ ସଂଶୋଧିତ ଇଂରାଜୀ ବନାନ ବ୍ୟବହାର କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।



0 Comments