ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଝାରସୁଗୁଡ଼ା ଗସ୍ତ; ଖାଦ୍ୟ ସୁରକ୍ଷା ଓ ଅଙ୍ଗନବାଡ଼ି ବ୍ୟବସ୍ଥାର ସମୀକ୍ଷା


 -ହିତାଧିକାରୀଙ୍କ ଘର ସମ୍ମୁଖରେ ହେବ ‘ରାସନ କାର୍ଡ ବ୍ରାଣ୍ଡିଂ’ ନେଇ ପ୍ରସ୍ତାବ

 - ପ୍ରତି ମାସ ୨୩ ତାରିଖରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ଵାରା ଅଙ୍ଗନବାଡ଼ି ଓ ଛତୁଆ କେନ୍ଦ୍ର ଯାଞ୍ଚ

-ଅଯୋଗ୍ୟ ଅନ୍ତୋଦୟ ହିତାଧିକାରୀ ବାଦ୍ ପଡ଼ିବେ

 -ଦୁଇ ଭିନ୍ନକ୍ଷମ ହିତାଧିକାରୀଙ୍କୁ ହ୍ୱିଲଚେୟାର ପ୍ରଦାନ

 ରାଜ୍ୟ ଖାଦ୍ୟ କମିଶନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନୀକାନ୍ତ ସାହୁ ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ଖାଦ୍ୟ ସୁରକ୍ଷା ଓ ଶିଶୁ ବିକାଶ କାର୍ଯ୍ୟକ୍ରମକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଅନେକ ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କ ଘର ସମ୍ମୁଖରେ ‘ବ୍ରାଣ୍ଡିଂ’ ବା ଚିହ୍ନଟ ପ୍ରକ୍ରିୟା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଅଧ୍ୟକ୍ଷ କହିଛନ୍ତି ଯେ ଏଣିକି ପ୍ରତି ମାସ ୨୩ ତାରିଖରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିବେ। ଏହା ସହିତ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ‘ଡ୍ରପ୍ ଆଉଟ୍’ ସମସ୍ୟା ଉପରେ ସେ ଉଦ୍‌ବେଗ ପ୍ରକାଶ କରିବା ସହ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଥିବା ୮,୩୭୬ ଅନ୍ତୋଦୟ କାର୍ଡଧାରୀଙ୍କ ମଧ୍ୟରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିକାରୁ ବାଦ୍ ଦେବା ଏବଂ ସେହି ସ୍ଥାନରେ ପ୍ରକୃତ ଯୋଗ୍ୟ ତଥା ଗରିବ ଲୋକଙ୍କୁ ସାମିଲ କରିବା ପାଇଁ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି। ଗସ୍ତ ସମୟରେ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ସାହୁ ହ୍ୱିଲଚେୟାର ପ୍ରଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done