-ବେଆଇନ ପାର୍କିଂ ଉପରେ ଲାଗିବ ମୋଟା ଅଙ୍କର ଜରିମାନା, ଜିଲ୍ଲାପାଳଙ୍କ ଚେତାବନୀ
-ପାଉଁଶ ପରିବହନ ପାଇଁ SOP କଡ଼ାକଡ଼ି ପାଳନ କରିବାକୁ ଶିଳ୍ପ ସଂସ୍ଥାଙ୍କୁ ନିର୍ଦ୍ଦେଶ
-ବିଜୁ ଏକ୍ସପ୍ରେସୱେ ଓ ଜାତୀୟ ରାଜପଥରେ ଲାଗିବ ସ୍ପିଡ୍ ସେନ୍ସର ଓ ସୂଚନା ବୋର୍ଡ
-ମଦ୍ୟପ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ସହ ଧୂଳି ନିୟନ୍ତ୍ରଣ ପାଇଁ କଡ଼ା ନିୟମ
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ ସମ୍ମିଳନୀ କକ୍ଷଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ SP G. ରାଘବେନ୍ଦ୍ର ରେଡ୍ଡୀଙ୍କ ସମେତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର ଏହି ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ ଦିନକୁ ଦିନ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି।
ବୈଠକରେ ଜିଲ୍ଲାପାଳ ବେଆଇନ ପାର୍କିଂ ସମସ୍ୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାସ୍ତା କଡ଼ରେ ଅନଧିକୃତ ଭାବେ ଛିଡ଼ା ହୋଇଥିବା ଯାନବାହନ ଗୁଡ଼ିକୁ ତୁରନ୍ତ ହଟାଇବା ସହ ନିୟମ ନ ମାନିଲେ ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସୱେର ଦୁର୍ଘଟଣାପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରି ସେଠାରେ ସ୍ପିଡ୍ ସେନ୍ସର, ଗତି ସୀମା ବୋର୍ଡ ଏବଂ ଉନ୍ନତମାନର ଆଲୋକୀକରଣ ବ୍ୟବସ୍ଥା କରିବାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି। ଅଚଳ ହୋଇ ପଡ଼ିଥିବା ଲାଇଟଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ଏହାସହ ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ପାଇଁ ଅଧିକ ଏନଫୋର୍ସମେଣ୍ଟ୍ କର୍ମଚାରୀ ଯୋଗାଇ ଦେବାକୁ ପରିବହନ ବିଭାଗକୁ ଚିଠି ଲେଖିବା ପାଇଁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପରିବହନ ସମୟରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଜିଲ୍ଲାପାଳ ସମସ୍ତ ଶିଳ୍ପ ସଂସ୍ଥାଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପାଉଁଶ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଯେପରି ସମ୍ପୂର୍ଣ୍ଣ ଭାବେ ତାରପୋଲିନରେ ଘୋଡ଼ାଯିବ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ମାନକ ପରିଚାଳନା ପଦ୍ଧତି (SOP)କୁ କଡ଼ାକଡ଼ି ଭାବେ ଅନୁପାଳନ କରାଯିବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
ସଡ଼କ ସୁରକ୍ଷା ନିୟମକୁ ଅଧିକ କଡ଼ାକଡ଼ି କରି ମଦ୍ୟପାନ କରି ଗାଡ଼ି ଚଲାଉଥିବା ଚାଳକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପାଞ୍ଚଳରୁ ବାହାରୁଥିବା ଧୂଳି ନିୟନ୍ତ୍ରଣ ପାଇଁ ଗାଡ଼ିଗୁଡ଼ିକରେ ତାରପୋଲିନ୍ ଘୋଡ଼ାଇବା ବାଧ୍ୟତାମୂଳକ କରାଯାଇଛି। ଏହା ସହ କମ୍ପାନୀ ପରିସର ମଧ୍ୟରେ ୱାଟର ସ୍ପ୍ରିଙ୍କଲିଂ (ଜଳ ସିଞ୍ଚନ) କରିବାକୁ ପରାମର୍ଶ ଦିଆଯାଇଛି। ଭାରୀ ଯାନଗୁଡ଼ିକ ପାଇଁ "ୱାନ୍ ଆୱାର୍ ଷ୍ଟେ" SOP ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ଶେଷରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ରାସ୍ତାର ମାନ ଯାଞ୍ଚ କରିବା ସହ ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ।


0 Comments