ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏବଂ ୨ଜଣ ଗୁରୁତର ଆହତ ହୋଇଛନ୍ତି ।
ଝାରସୁଗୁଡ଼ା ୪୯ ନମ୍ୱର୍ ଜାତୀୟ ରାଜପଥ ସଦର ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭୋର ସକାଳୁ ଏହି ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୋଲିସ ବୋଲେରୋ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଟ୍ରେଲର ଗାଡ଼ି ବେପରୁଆ ଭାବେ ଗାଡ଼ି ଚାଳନା କରିଥିବା ବେଳେ ପୋଲିସ୍ ବୋଲେରୋ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୫ ଜଣ ପୋଲିସ୍ କର୍ମଚାରୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଏବଂ ୨ଜଣ ଗୁରୁତର ଆହତ ଅଛନ୍ତି । ଟ୍ରେଲର ଚାଳକ କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ବେଳେ ଗାଡ଼ିକୁ ମଧ୍ୟ ପୋଲିସ୍ ଜବତ୍ କରିଛି । ବୋଲେରୋ ରେ ୭ ଜଣ ପୋଲିସ୍ କର୍ମଚାରୀ ଥିଲେ । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ରହି ଦୁର୍ଘଟଣାର ତଦନ୍ତ ଜାରି ରଖିଛନ୍ତି । ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


0 Comments