କୋଲାବିରାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କୋଲାବିରା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଓ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଏହି ଶିବିରରେ ମୋଟ ୪୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୩ ଟି ସାମୂହିକ ବା ଗୋଷ୍ଠୀଗତ ସମସ୍ୟା ଥିଲା ଏବଂ ୨୯ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ଜଣେ ଅସହାୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ତତ୍କାଳ ପ୍ରଦାନ କରାଯାଇଥିଲା।

ଏହି ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ପଞ୍ଚାୟତର ଜ୍ୱଳନ୍ତ ସମସ୍ୟା ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମାସିଂହା ପଞ୍ଚାୟତରୁ ସମବାୟ ସମିତିରେ ଧାନ କିଣା ବନ୍ଦ ହେବା ଏବଂ ନିଜସ୍ୱ ଗୃହଜମି ଅନ୍ୟ ଲୋକଙ୍କ ନାମରେ ଦଖଲନୋଟ ଚଢ଼ିବା ସମ୍ବନ୍ଧରେ ଅଭିଯୋଗ ଆସିଥିବା ବେଳେ ରଘୁନାଥପାଲି ଅଞ୍ଚଳରୁ ଜମିର ରୟତି ପରିବର୍ତ୍ତନ, ଧାନ ବିକ୍ରୟ କାର୍ଡ ଜାଲିଆତି ଏବଂ ଟୋକନ ଥାଇ ମଧ୍ୟ ଧାନ ବିକ୍ରୟରେ ହେଉଥିବା ଅସୁବିଧା ନେଇ ଦାବି ହୋଇଥିଲା। ସେହିପରି ଚନ୍ଦନିମାଲ ଅଞ୍ଚଳରେ ଲକ୍ଷ୍ମୀ ବସ୍ ଚଳାଚଳ କରିବା ଏବଂ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟର ମରାମତି କାର୍ଯ୍ୟରେ ହେଉଥିବା ଅନିୟମିତତା ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହିତ ସୋଢାମାଲ ଅଞ୍ଚଳରେ ସରକାରୀ ଜମିକୁ ନିଜସ୍ୱ ନାମରେ ରେକର୍ଡଭୁକ୍ତ କରିବା, ତରେଇକେଲା ଛକରେ ଏକ ମାର୍କେଟ କଂପ୍ଲେକ୍ସ ନିର୍ମାଣ, ପୋଖରାସାହ୍ଲେରେ ପୋଖରୀର ପଙ୍କ ଉଦ୍ଧାର ସହ ଜଳ ନିଷ୍କାସନ ଓ ଗାଧୁଆ ପାହାଚ ନିର୍ମାଣ ପରି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଧୂବେନବୁଡ ଅଞ୍ଚଳରେ ଜମି ଜବରଦଖଲ ଏବଂ ପଣ୍ଡକିମାଲରେ ବର୍ଦ୍ଧିତ ବିଦ୍ୟୁତ ବିଲ୍ କୋହଲ କରିବା ପାଇଁ ଲୋକେ ନିବେଦନ କରିଥିଲେ। ଜିଲ୍ଲାପାଳ ଏହି ସମସ୍ତ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done