ଝାରସୁଗୁଡ଼ାରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ


 ଜାତୀୟ ଶିଶୁକନ୍ୟା ଦିବସ ପାଳନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ ବିଭାଗ ଏବଂ ଜିଲ୍ଲା ନାରୀ ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଏକ ବିଶାଳ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କନ୍ୟା ସନ୍ତାନମାନଙ୍କ ସୁରକ୍ଷା, ଶିକ୍ଷା ଏବଂ ସମାଜରେ ସେମାନଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସହରର ବେହେରାମାଲ କିସାନ ଛକଠାରୁ ବାହାରି ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା, ଯେଉଁଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।

ଏହି ସଚେତନତା ଶୋଭାଯାତ୍ରାରେ ‘ବେଟି ବଚାଓ-ବେଟି ପଢ଼ାଓ’ ଏବଂ ‘ବାଲ୍ୟ ବିବାହ ମୁକ୍ତ ସମାଜ’ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ ଏବଂ ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶିଶୁକନ୍ୟାମାନଙ୍କ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ବିଭିନ୍ନ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ହବ୍‌ର କର୍ମକର୍ତ୍ତାମାନେ ପଦଯାତ୍ରାରେ ସାମିଲ ହୋଇ ଶୃଙ୍ଖଳା ରକ୍ଷା କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ପଦଯାତ୍ରାରେ ବିଶେଷ କରି ବେହେରାମାଲ ଆଶ୍ରମ ସ୍କୁଲର ଶିକ୍ଷୟତ୍ରୀ ଓ ୫୦ରୁ ଅଧିକ ଛାତ୍ରୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଓଏସସି, SAHEDA, ମହିଳା ସହାୟତା କେନ୍ଦ୍ର ଏବଂ ଚାଇଲ୍ଡ ହେଲ୍ପଲାଇନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସମାଜରେ କନ୍ୟା ସନ୍ତାନମାନଙ୍କ ପ୍ରତି ଥିବା ନକାରାତ୍ମକ ମନୋଭାବ ଦୂର କରିବା ଏବଂ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଏହି ଶୋଭାଯାତ୍ରା ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଛି। ଶେଷରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସଂକଳ୍ପ ପାଠ କରାଯାଇ ଆଗାମୀ ଦିନରେ ଝାରସୁଗୁଡ଼ା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ତଥା କନ୍ୟା ସନ୍ତାନଙ୍କ ପାଇଁ ସୁରକ୍ଷିତ କରିବାକୁ ପ୍ରତିଶ୍ରୁତି ବଦ୍ଧତା ପ୍ରକାଶ ପାଇଥିଲା

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done