ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ଏବଂ ଡ୍ରପ୍-ଆଉଟ୍ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଯଦି କୌଣସି ଛାତ୍ରଛାତ୍ରୀ କ୍ରମାଗତ ଭାବେ ଏକ ସପ୍ତାହରୁ ଅଧିକ ସମୟ ଧରି ବିଦ୍ୟାଳୟରୁ ଅନୁପସ୍ଥିତ ରୁହନ୍ତି, ତେବେ ସ୍କୁଲ ଶିକ୍ଷକ କିମ୍ବା ପରିଚାଳନା କମିଟି ସଦସ୍ୟ ସିଧାସଳଖ ସେମାନଙ୍କ ଘରକୁ ଯିବେ। ଏହି Home Visit କାର୍ଯ୍ୟକ୍ରମକୁ ବାଧ୍ୟତାମୂଳକ କରିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିବା ବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦୀର୍ଘଦିନର ଅନୁପସ୍ଥିତି ପିଲାଙ୍କୁ ଶିଶୁ ଶ୍ରମିକ ସାଜିବା କିମ୍ବା ବାଲ୍ୟ ବିବାହର ଶିକାର ହେବା ଭଳି ବିପଦ ଆଡ଼କୁ ଠେଲି ଦେଉଛି। ତେଣୁ ଶିକ୍ଷକମାନେ ଘରକୁ ଯାଇ ଅଭିଭାବକଙ୍କ ସହ ଆଲୋଚନା କରି ପିଲାଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ। ବିଶେଷକରି କିଶୋରୀମାନଙ୍କ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ। ଏହି ପ୍ରକ୍ରିୟାର ରେକର୍ଡ ରଖିବା ସହ ଆବଶ୍ୟକ ସ୍ଥଳେ ଶ୍ରମ ଓ ICDS ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


0 Comments