ପୁଣି ଏକ ନିଷ୍ପାପ ଶିଶୁ ର ମୃତ ଦେହ ସଡକ କଡ଼ରୁ ଉଦ୍ଧାର ହୋଇଛି | ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ମଙ୍ଗଳବାଜର ଠାରୁ | ରାସ୍ତାକଡ଼ରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି | ସୂଚନା ଅନୁଯାୟୀ, ସକାଳୁ ମଙ୍ଗଳବଜାର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଏକ ଧଳା କପଡ଼ାରେ ଗୁଡ଼ା ହୋଇଥିବା କିଛି ସନ୍ଦିଗ୍ଧ ବସ୍ତୁ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । କିଛି ଲୋକ ନିକଟକୁ ଯାଇ ପରଖିବା ବେଳକୁ ତାହା ଏକ ଶିଶୁର ମୃତଦେହ ବୋଲି ଜଣାପଡିଥିଲା । ଉଦ୍ଧାର ହୋଇଥିବା ଶରୀରର ଗଠନରୁ ଏହା ଏକ ଅପରିପକ୍ୱ ଭ୍ରୂଣ ବୋଲି ପ୍ରାଥମିକ ଅନୁମାନ କରାଯାଉଛି । ସମ୍ଭବତଃ ଗର୍ଭାବସ୍ଥାର ୪ରୁ ୫ ମାସ ମଧ୍ୟରେ ହିଁ କେହି ନିଷ୍ଠୁର ପାଲଟି ଏହାର ଅପରିପକ୍ୱ ପ୍ରସବ କିମ୍ବା ଗର୍ଭପାତ କରାଇ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି । ଖବର ପାଇ ଝାରସୁଗୁଡ଼ା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଏବଂ କିଏ ନିଜର ପାପ ଲୁଚାଇବାକୁ ଯାଇ ଏଭଳି ଅମାନବୀୟ କାଣ୍ଡ ଭିଆଇଛି, ସେ ନେଇ ପୁଲିସ ବିଭିନ୍ନ ଦିଗରୁ ତନାଘନା ଚଳାଇଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବାର ସମ୍ଭାବନା ରହିଛି । ତେବେ ମଙ୍ଗଳବଜାର ଅଞ୍ଚଳରେ ଏଭଳି ଘଟଣା ନୂଆ ନୁହେଁ । ସୂଚନାଯୋଗ୍ୟ ଯେ, ପ୍ରାୟ ୫ ମାସ ତଳେ ମଧ୍ୟ ଠିକ୍ ଏହି ଅଞ୍ଚଳର ଏକ ଅଳିଆ ଗଦାରୁ ଜଣେ ନବଜାତ ଶିଶୁପୁତ୍ରକୁ କେହି ଫିଙ୍ଗି ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବାରମ୍ବାର ଜିଲ୍ଲାରେ ଏଭଳି ଲଜ୍ଜାଜନକ ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି |


0 Comments