ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ ଦଳ । ସମର୍ଥନ କରିବ କି ବିଜେଡି?ବିଜେପି ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ବିଜେପି ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ତେବେ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ଅନ୍ୟପଟେ ଅନାସ୍ଥା ଆଣିଲେ କଂଗ୍ରେସ ଲୋକହସା ହେବ । ସଂଖ୍ୟା ଗରିଷ୍ଠତା ନଥାଇ ଅନାସ୍ଥା ଆଣିବା, କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ଷ୍ଟଣ୍ଟ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ତେବେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପରେ କଂଗ୍ରେସ ବିଧାୟକ ମାନେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଚ୍ୟାମ୍ବର୍ ରେ ପହଞ୍ଚିଥିଲେ । ସେଠାରେ ବିଜେଡିର ବରିଷ୍ଠ ନେତା ମାନଙ୍କ ସହିତ ଆଲୋଚନା ହୋଇଥିଲା । ଏହାପରେ ବିଜେଡିର ବୈଠକ ହେବା ପରେ ସେମାନଙ୍କ ଆଭିମୁଖ୍ୟ କଣ ରହିଛି ତାହା ଜଣାଇବେ ବୋଲି କଂଗ୍ରେସ୍ ବିଧାୟକ ମାନେ ଜାଣିଛନ୍ତି । ହେଲେ ଏଠାରେ ପ୍ରଶ୍ନ ଏହା ଉଠୁଛି ଯେ ଏହି ଅନାସ୍ଥା ପ୍ରସ୍ତାବରେ ବିଜେଡ଼ି ସମର୍ଥନ ଜଣାଉଛି ନା ନାହିଁ । ଆଉ ଯଦି ନ ଦଉଛି ତେବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିବା ବେଳେ ମୋଟ୍ ୧୪୬ ବିଧାନସଭା ଆସନ ରୁ ୭୮ ଟି ଆସନରେ ବିଜେପି ରହିଛି । କଂଗ୍ରେସ ୧୪ ଟି ଆସନରେ ବିଜୟୀ ହୋଇଥିବା ବେଳେ କେଉଁ ସାହସ ରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ତାହା ଏବେ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ୟପଟେ ବିଜେଡି ଏହି ଅନାସ୍ଥା ପ୍ରସ୍ତାବରେ ସମର୍ଥନ ଦେବା ସତ୍ତ୍ୱେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ପାରିବ କି ତାହା ମଧ୍ୟ ପ୍ରଶ୍ନ କାରଣ ବିଜେଡ଼ିର ୫୦ ଟି ଆସନ ରହିଛି । ଆଉ ଏହି ସାଂଖ୍ୟ ଗଣନା ଭିତରେ ହିଁ ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକାରୀ ହେବ ।
0 Comments