ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ । ସୁସ୍ଥ ଜୀବନ ପାଇଁ ଯୋଗ ର ମହତ୍ତ୍ଵ ବେଶ୍ ରହିଛି । ଏକ ସୁସ୍ଥ ଜୀବନ ପାଇଁ ଯୋଗକୁ ଆମ ଜୀବନରେ ଆପଣାଇବା କୁ ପଡ଼ିବ । ଯୋଗର ମହତ୍ତ୍ଵ କଣ ରହିଛି ସାରା ବିଶ୍ୱରେ ଏନେଇ ସଚେତନ ସୃଷ୍ଟି କରିବା ପାଇଁ ଜୁନ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ତେବେ ଆଜି କେବଳ ଦେଶ ନୁହେଁ ସାରା ବିଶ୍ଵରେ ଯୋଗ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଝାରସୁଗୁଡ଼ା ସହରରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାର ଅଡିଟୋରୀୟମ୍ ଠାରେ ଏହି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଯୋଗ କାର୍ଯ୍ୟକ୍ରମରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ, ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦିପାଳୀ ଦାସ ଉପସ୍ଥିତ ରହି ଯୋଗ କରିବା ସହିତ ଲୋକଙ୍କୁ ସଚେତନ କରାଇଛନ୍ତି । ସମସ୍ତ ମାନବ ସମାଜ ସୁସ୍ଥ, ସବଳ ଏବଂ ନିରୋଗ ରୁହନ୍ତୁ ବୋଲି ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁରେଶ ପୂଜାରୀ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ଭାରତରେ ଏହି ବୈଦିକ ପରମ୍ପରା କୁ ସାରା ପୃଥିବୀ ଗ୍ରହଣ କରି ଆଜି ଦିନରେ ଯୋଗ ଦିବସ ପାଳନ କରୁଛି ଏହା ଆମ ଭାରତବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଜିଲ୍ଲାବାସୀଙ୍କୁ ଯୋଗ ଦିବସରେ ଅଭିନନ୍ଦନ ଜଣାଇବା ସହିତ ଯୋଗ କୁ ଆମର ଦିନଚର୍ଯ୍ୟାରେ ସାମିଲ୍ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ବିଧାୟିକା ଦିପାଳୀ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକ ମାନଙ୍କୁ ଯୋଗ କରିବା ପାଇଁ କହିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଯୋଗ କାର୍ଯ୍ୟକ୍ରମକୁ ପ୍ରସଂଶା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସହିତ ଅନେକ ଅନୁଷ୍ଠାନ ର ସଦସ୍ୟ ମାନେ ସାମିଲ୍ ରହି ଯୋଗ ଅଭ୍ୟାସ କରିଛନ୍ତି ।
0 Comments