ରାଜ୍ୟ ସ୍ତରୀୟ ମିଶନ ଶକ୍ତି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଅନୁସାରେ ଆଜି ୧୫୨ଜଣଙ୍କୁ ସ୍କୁଟର ବଣ୍ଟନ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାରଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ,ବ୍ଲକ୍ ସ୍ତରୀୟ ଫେଡରେସନ ତଥା ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡରେସନର କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟାମାନଙ୍କୁ ଏହି ସ୍କୂଟର ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମକୁ ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୀମା ଟିଗା, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ନିଳିମା କୁଜୁର, ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ସୁଣ୍ଡି ଓ ଏଲ୍ ଡି ଏମ୍ ଶିରୋପାଣି ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲା ଓସ୍ୱାନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବୋଧନ ପ୍ରଦାନ ପୂର୍ବକ ମହିଳାମାନଙ୍କୁ ଶକ୍ତି ଓ ପ୍ରଗତିର ପ୍ରତୀକ ବୋଲି କହିଥିଲେ। ମିଶନ ଶକ୍ତି ମହିଳାମାନେ ଏଣିକି ନିଜ ନିଜ କାର୍ଯ୍ୟ ତ୍ଵରାନ୍ବିତ କରିବାରେ ସଫଳ ହେବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ। ଆଭାସି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମିଶନ ଶକ୍ତି ସଂଯୋଜିକା, ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳିକା,ଲିଡ ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବିନା ସୁଧରେ ମହିଳାମାନେ ପାଞ୍ଚ ବର୍ଷ ମଧ୍ୟରେ ସ୍କୁଟର ବାବଦକୁ ଏକ ଲକ୍ଷ ଟଙ୍କା ପରିଶୋଧ କରିବାକୁ ଧାର୍ଯ୍ୟ କରାଯାଇଛି।
0 Comments