କ୍ରୀଡା ମାଧ୍ୟମରେ ନେତୃତ୍ବର ବିକାଶ ଓ କିଶୋରୀ ସଶକ୍ତିକରଣର ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ଝାରସୁଗୁଡା, ଆକ୍ସନଆଡ଼ ଏବଂ ୟୁନିସେଫ ଆନୁକୂଲ୍ୟରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତିକରଣ କରିବା ପାଇଁ ସ୍ଥାନୀୟ ଓ.ଏସ.ଏ.ପି. ପଡିଆରେ ଅଦ୍ଵିକା କପ୍ ଅନୁଷ୍ଠିତ ହୋଇଯାଇଛି। ଆଜି ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳର କିଶୋରୀ ମାନଙ୍କୁ ନେଇ ଏକ ଅଣ ପାରମ୍ପରିକ କ୍ରୀଡାର ଆୟୋଜନ କରାଯାଇଥିଲା ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନିର୍ଦିଷ୍ଟ ଲକ୍ଷ୍ୟ ନେଇ ନିୟମିତ ପ୍ରୟାସ ଜାରି ରଖିଲେ ପ୍ରତ୍ୟେକ କିଶୋରୀ ଭବିଷ୍ୟତରେ ନିଜ ସର୍ବୋତ୍ତମ ବିକାଶ ସହିତ ଏକ ଉତ୍ତମ ନାଗରିକ ହୋଇ ପାରିବାର ବାର୍ତ୍ତା ଉଦବୋଧନ ମାଧ୍ୟମରେ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଆକ୍ସନଆଡ଼ ର ସହକାରୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର ଯୋଗଦେଇ ନେତୃତ୍ବର ବିକାଶ ଦିଗରେ ଜିଲ୍ଲାର ପ୍ରତ୍ୟେକ କିଶୋରୀ ଏହିପରି ଅଣଆନୁଷ୍ଠାନିକ କ୍ରୀଡ଼ାରେ ଅଂଶଗ୍ରହଣ କରନ୍ତୁ ଓ କ୍ରୀଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦନ କରନ୍ତୁ ବୋଲି ନିଜ ବାର୍ତାରେ ପ୍ରକାଶ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ସୁଶୀଲ କୁମାର ମିଶ୍ର, ଓଡିଶା କ୍ରୀଡା ଆସୋସିଏସନର ଉପ ସଭାପତି ତାପସ କୁମାର ରାୟ ଚୌଧୁରୀ, ରାଜ୍ୟ ହକି ଆସୋସିଏସନର ଉପ ସଭାପତି ଜୀବନ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଜିଲ୍ଲା କ୍ରୀଡା ଆସୋସିଏସନର ସଦସ୍ୟ ବିଜୟ କୁମାର ବେହେରା, ଗଣେଶ ନାଏକ, ଯୋଗଦାନ ଓ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଶାଖାର ସୁରକ୍ଷା ଅଧିକାରୀ ବୃନ୍ଦାବତୀ ପଣ୍ଡା ଓ ଆକ୍ସନଆଡ଼ର ଜିଲ୍ଲା ସଂଯୋଜକ ପୀତବାସ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ଆଥଲେଟିକ ଆସୋସିଏସନ, ଜିଲ୍ଲା ହକି ଆସୋସିଏସନ, ସ୍ଥାନୀୟ ମହିଳା ଅନୁଷ୍ଠାନ ଏଇ ତ ଜୀବନର ସ୍ଵେଛାସେବୀ ଓ କର୍ମକର୍ତ୍ତା ମାନେ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।
0 Comments