ଆଜି ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ବିକଲ୍ପ ବିବାଦ ସମାଧାନ କେନ୍ଦ୍ର ର ସମ୍ମିଳନୀ କକ୍ଷରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଥିବା ଆଇନ୍ ସାକ୍ଷରତା କ୍ଲବ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ବିତର୍କ, ଚିତ୍ରାଙ୍କନ ଏବଂ ବ୍ୟଙ୍ଗନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ର ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ପୃଷ୍ଟି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ ଥିଲେ । ଏହି କାର୍ଯ୍ୟକ୍ରମରେ ପରିବାର ଅଦାଳତର ବିଚାରପତି ଶ୍ରୀ ସତ୍ୟବ୍ରତ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍.ଆର୍) ଶ୍ରୀ ଜୀବନାନନ୍ଦ ପାଢୀ, କନିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ରୋଶନୀବାଳା ସେନାପତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଲମ୍ବୋଦର ବୁଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ବିତର୍କ ପ୍ରତିଯୋଗିତାକୁ ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ମଳୟ କୁମାର ପ୍ରଧାନ ଓ ଡେପୁଟି କଲେକ୍ଟର (ଜୁଡିସିଆଲ) ଶ୍ରୀମତୀ ସୂଚିତା ପୁଷ୍ପା ମୁଲ୍ୟାଙ୍କନ କରିଥିଲେ, ଚିତ୍ରାଙ୍କନ ପ୍ରତିଯୋଗିତାକୁ ଡି.ଏଫ୍.ଓ ଝାରସୁଗୁଡ଼ା ଶ୍ରୀ ମନୁ ଅଶୋକ ଭଟ ଏବଂ ସାମାଜିକ କର୍ମୀ ଶ୍ରୀ ବିବେକାନନ୍ଦ ମିଶ୍ର ମୁଲ୍ୟାଙ୍କନ କରିଥିଲେ, ପ୍ରବନ୍ଧ ଲିଖନ ପ୍ରତିଯୋଗିତାକୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (କଗନିଜେନ୍ସ) ଶ୍ରୀମତୀ ଶ୍ରୀମୟୀ ନନ୍ଦ ଓ ସାଲଗ୍ରାମ ଶକୁନିଆ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ରାଜ କୁମାର ପଟେଲ ମୁଲ୍ୟାଙ୍କନ କରିଥିଲେ । ସେହିପରି ବ୍ୟଙ୍ଗନାଟକ ପ୍ରତିଯୋଗିତାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୁଶ୍ରୀ ନେହା ଦାସ, କଳାକାର ଶ୍ରୀ ନୃପମଣି ମେହେର ଓ ପ୍ରସନ୍ନ ପଣ୍ଡା ଆଇନ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ବିନୟ କୁମାର ଶର୍ମା ମୁଲ୍ୟାଙ୍କନ କରିଥିଲେ। ବିତର୍କ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ତାଳପଟିଆର ସୁରଭି ସାହୁ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ର ପିୟୁଷ ରଞ୍ଜନ ସ୍ଵାଇଁ ଦ୍ୱିତୀୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ର ଫାତିମା ଜଲାଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ସରକାରୀ ଟାଉନ୍ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ାର ପ୍ରତୀକ କାଣ୍ଡୁଲନା ପ୍ରଥମ, ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସମାସିଂହା ର ଅମନ୍ ବାରଭିଆ ଦ୍ୱିତୀୟ, ସରକାରୀ ୟୁ.ଜି ଉଚ୍ଚ ବିଦ୍ୟାଳୟ ହିରମାର ଟିନା ଦିପ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରେଲୱେ କଲୋନୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ାର ଛାତ୍ରୀ ଶ୍ରିଷ୍ଠି ସିଂହ ପ୍ରଥମ, ସରକାରୀ ୟୁ.ଜି ଉଚ୍ଚ ବିଦ୍ୟାଳୟ ହିରମା ର ଅର୍ପିତା ରାଏ ଦ୍ୱିତୀୟ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଡ଼ମାଲର ଝରଣା ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବ୍ୟଙ୍ଗନାଟକ ପ୍ରତିଯୋଗିତାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଡ଼ମାଲ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ଦ୍ୱିତୀୟ ଓ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସମାସିଂହା ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ଏବଂ ବିଦ୍ୟାଳୟ ମାନଙ୍କୁ ଟ୍ରଫି ଓ ମାନପତ୍ର ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା ।ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଏବଂ ବ୍ୟଙ୍ଗ ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନ୍ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ସୂଚନା ଦିଆଯାଇଛି।
0 Comments