ଓଡିଶାର ଶିଳ୍ପ ଦ୍ୱାର ବୋଲାଉଥିବା ଝାରସୁଗୁଡା ଜିଲ୍ଲାରେ ସ୍ୱାଧୀନତାର ୭୬ବର୍ଷ ଓ ଜିଲ୍ଲା ଗଠନ ହେବାର ୩୦ବର୍ଷ ପରେ ମଧ୍ୟ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ନାହିଁ l ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲା ଉଭୟ ସଙ୍ଘ ସରକାର ଓ ଓଡିଶା ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ବେଳେ କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନ ସାଧାରଣଙ୍କର ରୋଜଗାର ସ୍ଥଳୀ ସାଜିଛି l ହେଲେ ଏଠାକାର ଅବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ଜିଲ୍ଲାର ଛାତ୍ର ଛାତ୍ରୀଙ୍କୁ ବାହାର ଜିଲ୍ଲା ଉପରେ ନିର୍ଭର ହେବାକୁ ପଡୁଛି l ସେହିପରି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ମୋଟ ଛାତ୍ର ଛାତ୍ରୀଙ୍କର ୬୦ ପ୍ରତିଶତ ଆସ୍ୱଚ୍ଛଳ ତଥା ଅନୁସୂଚିତ ଜାତି ଓ ଜନଜାତି ବର୍ଗର l କିଛି ବର୍ଷ ହେଲା ଦେଖାଯାଉଛି ମୋଟ ଏହି ବର୍ଗର ଦଶ ରୁ ପନ୍ଦର ପ୍ରତିଶତ ଛାତ୍ର ଛାତ୍ରୀ ପ୍ରତି ବର୍ଷ ମଝିରୁ ପାଠପଢା ଛାଡି ଦେଉଛନ୍ତି l ସେହିପରି ସ୍ନାତକ ପରେ ପିଲା ସ୍ନାତକୋତ୍ତର ଓ ବିଇଡି ଶିକ୍ଷା ପାଇଁ ଜିଲ୍ଲାରେ କୌଣସି ବ୍ୟବସ୍ଥା ନାହିଁ l ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲା ଗଠନ ହେବା ସମୟରେ ଜିଲ୍ଲାର ସଦର ମହକୁମା ସ୍ଥିତ ସମସ୍ତ କଲେଜ କୁ ସରକାରୀ ମାନ୍ୟତା ପ୍ରଦାନର କଥା ପ୍ରତିଶୃତି ଦେଇଥିଲେ l ହେଲେ ଜିଲ୍ଲାର ସର୍ବ ପୁରାତନ କଲେଜ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ନା ପାଇଛି ସରକାରୀ ମାନ୍ୟତା ଆଉ ନାହିଁ ଏହି ମହାବିଦ୍ୟାଳୟରେ ଅଛି ଉଚ୍ଚତର ଶିକ୍ଷା ସ୍ନାତକୋତ୍ତର ଶିକ୍ଷାର ବ୍ୟବସ୍ଥା l ସେହିପରି ଜିଲ୍ଲାର ଉପାନ୍ତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୯ଖଣ୍ଡ ମୌଜା ଅଞ୍ଚଳ ରେ ବହୁଦିନରୁ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରିବାର ଆନ୍ଦୋଳନ ଚାଲି ଆସୁଛି l ହେଲେ ସରକାର ଅଞ୍ଚଳର ମୁରଲୀପାଲି ଠାରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ବିଶିଷ୍ଟ ଏକ କଲେଜ ଖୋଲିଦେଇ ଚୁପ ହୋଇ ବସି ରହିଛନ୍ତି l ନା ଖୋଲା ଯାଇ ପାରିଛି ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ଆଉ ନା ହିଁ ସ୍ନାତକ ମହାବିଦ୍ୟାଳୟ l ଏଭଳି ଆରୋପ ଲଗାଇ ଝାରସୁଗୁଡା ଜିଲ୍ଲାର ପ୍ରମୁଖ ଛାତ୍ର ସଂଗଠନ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ଏକ ପ୍ରତିନିଧି ମଣ୍ଡଳୀ ଏଲ.ଏନ କଲେଜର ସରକାରୀ କରଣ ପି.ଜି ଓ ବିଇଡି ପାଠ୍ୟକ୍ରମ ଆରମ୍ଭ, ୧୯ଖଣ୍ଡ ମୌଜା ଅଞ୍ଚଳରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ ଓ ସ୍ନାତକ ମହାବିଦ୍ୟାଳୟ ଖୋଲିବାର ବିଷୟକୁ ଆଗାମୀ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବା ସହ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି l ଛାତ୍ର ସାମ୍ମୁଖ୍ୟର ପ୍ରେସ ବିଜ୍ଞପ୍ତି ଅନୁସାରେ ବିଧାୟିକା ମହାନ୍ତି ଛାତ୍ରଙ୍କ ଦାବିକୁ ଗ୍ରହଣ କରି ଏ କଥା ବିଧାନସଭାରେ ଉପସ୍ଥାପନ କରିବା ସହ ସରକାରଙ୍କ ସହିତ ଏଲ.ଏନ କଲେଜର ସରକାରୀ କରଣ ନେଇ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ସାମ୍ମୁଖ୍ୟ କହିଛି ମୌସୁମୀ ଅଧିବେଶନ ଉପରେ ସାମ୍ମୁଖ୍ୟର ନଜର ରହିବ ଯଦି ଏ ପ୍ରସଙ୍ଗ ଉପସ୍ଥାପିତ ନ ହୁଏ ତେବେ ଜିଲ୍ଲା ବ୍ୟାପି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ l ସାମ୍ମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ଜିତେନ୍ଦ୍ରିୟ ଧୁରୁଆ, ସହସଂଯୋଜ ଅସୀମ ପଟେଲ, ଝାରସୁଗୁଡା ଜିଲ୍ଲା ସଂଯୋଜକ ରବି ରୋହିଦାସ, ଜିଲ୍ଲା ସହ ସଂଯୋଜକ ନନ୍ଦୁ ରୋହିଦାସ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ବଳରାମ ରୋହିଦାସ, ଏଲ.ଏନ କଲେଜ ସଂଯୋଜକ ଝସକେତନ ଉଗର ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ l
0 Comments