ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି (ମହାସମାଧାନ ଶିବିର) ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି . ପରମାର ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ୱର ଅମାତ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ , ଡେପୁଟି କଲେକ୍ଟର ପ୍ରତିମା ପିଙ୍ଗ, ହର୍ମେନ୍ଦ୍ର ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଶିବିରରେ ମୋଟ ୯୧ଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ସେଥି ମଧ୍ୟରୁ ୧୯ଟି ସାମୁହିକ ଓ ୭୨ଟି ବ୍ୟକ୍ତିଗତ । ଚିକିତ୍ସା ସହାୟତା ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ୫ହଜାର ଓ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଜଣଙ୍କୁ ୩ହଜାର ଟଙ୍କା ପ୍ରଦାନ କରାଯାଇଛି । ଶିବିରରେ ବେହେରାପାଲି କଟାରେ ସୋଲାର ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ବିଷାକ୍ତ ପାଣି ଛଡ଼ା ଯିବା , କୁମୁଡ଼ା ପାଲି ମୌଜାରେ ଶିଳ୍ପ ପ୍ରତିଷ୍ଠା ସକାଶେ ଇଡକୋ ଜରିଆରେ ଚାଷ ଜମି ଗୁଡ଼ିକ ଅଧିଗ୍ରହଣ ଖାରଜ କରାଯିବା, ଫଟାମାଲ ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ , କୁରେବଗାରେ କ୍ଷତିଗ୍ରସ୍ତଙ୍କୁ ବେଦାନ୍ତ ପକ୍ଷରୁ ସ୍ଥାୟୀ ନିଯୁକ୍ତି , ରାଜପୁର ଗ୍ରାମରେ ପାନୀୟ ଜଳର ଅବ୍ୟବସ୍ଥା , ଶ୍ରୀପୁରା ଗ୍ରାମରେ ବେଆଇନ ଭାବେ ଆଇରନ ସ୍ଲରି ପଣ୍ଡ୍ ଯୋଗୁ ପ୍ରଦୂଷଣ, ତାଲପଟିଆରେ କୁକୁଡ଼ା ଫର୍ମ ଯୋଗୁ ହେଉଥିବା ପ୍ରଦୂଷଣ, ଇବ ଠାରୁ ବୃନ୍ଦାମାଲ ପର୍ଯ୍ୟନ୍ତ ନୂତନ ଭାବେ ନିର୍ମାଣ ହେଉଥିବା ଫ୍ଲାଇ ଓଭର ପାଇଁ ଜମି ହରାଉଥିବା ଲୋକଙ୍କୁ କ୍ଷତି ପୂରଣ ଆଦି ସାମୁହିକ ଅଭିଯୋଗ ଓ ଏମ୍ ସି ଏଲ୍ ଲଖନପୁରରୁ ବେଲପାହାଡ଼ ମାଇନ୍ସ କୋଲ କରିଡର ନିର୍ମାଣ, ସରବାହାଲ କିଷାନ ପଡ଼ା ରେ ବ୍ୟବହୃତ ପୋଖରୀରେ ପାଉଁଶ ଡମ୍ପିଂ , ଝାରସୁଗୁଡା ବସ ଷ୍ଟାଣ୍ଡ ସ୍ଥାନାନ୍ତର ଓ ବସୁନ୍ଧରା ଯୋଜନାରେ ଜମି ଯୋଗାଣ ଆଦି ବ୍ୟକ୍ତିଗତ ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ଜିଲ୍ଲାପାଳ ଆଜି ଶିବିରରେ ଆଗତ ଅଭିଯୋଗ ସମୂହ ତଥା ପୂର୍ବରୁ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ ଆଗତ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ସକାଶେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
0 Comments