ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ମୃତ୍ୟୁ କୁ ଆଜି ବାର ଦିନ ହୋଇଯାଇଛି । ଆଜି ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡିଆ ଠାରେ ନବ ଦାସ୍ ଙ୍କର ଦ୍ୱାଦଶାହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ଵନା ଦେଇଥିଲେ ।ଏହି ଶ୍ରଦ୍ଧାଞ୍ଜଳି ସଭା ରେ ମୁଖ୍ୟମନ୍ତ୍ରୀ ସମେତ ଅନେକ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳ ନେତା ଓ ସାଂସଦ ମାନେ ଯୋଗ ଦେଇଥିଲେ । ଅନ୍ୟପଟେ ଝାରସୁଗୁଡ଼ା, ସମ୍ବଲପୁର ଏବଂ ଆଖପାଖ ଜିଲ୍ଲା ର ହଜାର ହଜାର ଲୋକ ଏଥିରେ ସାମିଲ ହୋଇ ନବ କିଶୋର ଦାସ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହି ଦ୍ୱାଦଶାହ କାର୍ଯ୍ୟକ୍ରମ ପାଇଁ ନବ କିଶୋର ଦାସଙ୍କ ପରିବାର ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । କାର୍ଯ୍ୟକ୍ରମ ତ ସୁରୁଖୁରୁରେ ହୋଇଯାଇଛି , କିନ୍ତୁ ନବ ଙ୍କ ଗଲା ପରଠାରୁ ତାଙ୍କ ସ୍ମୃତିରେ ଶୁଖୁନି ତାଙ୍କ ସ୍ତ୍ରୀଙ୍କ ଆଖିରୁ ଲୁହ । ନବ ଦାସ୍ ଙ୍କ ଦ୍ୱାଦଶାହ ରେ ଥରକୁ ଥର ଧର୍ଯ୍ୟ ହରାଇ କାନ୍ଦିଥିଲେ ତାଙ୍କ ସ୍ତ୍ରୀ । ପରିବାର ବୁଝାଇଲେ ବି ସ୍ଵାମୀଙ୍କ ଅନୁପସ୍ଥିତି କୁ ଝୁରୁଛନ୍ତି ସ୍ତ୍ରୀ । ଏହା ସହିତ ସରବାହାଲ ହାଇସ୍କୁଲ୍ ପଡିଆ ଠାରେ ଆୟୋଜିତ ହୋଇଥିବା ଶ୍ରଦ୍ଧାଞ୍ଜଳୀ ସଭାରେ ଝିଅ ଦୀପାଳୀ ଦାସ ବାପାଙ୍କୁ ମନେ ପକାଇବା ସହ ସ୍ବର୍ଗତ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଜିଲ୍ଲାବାସୀଙ୍କ ପାଇଁ ଯେଉଁ ସବୁ ବିକାଶର କାର୍ଯ୍ୟ କରିଯାଇଛନ୍ତି ସେଥିପାଇଁ ଜିଲ୍ଲାବାସୀ ସବୁବେଳେ ତାଙ୍କୁ ମାନେ ରଖିବେ ବୋଲି କହିଛନ୍ତି । ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡ଼ା ବିଜୟ । ଆଜି ଆପଣଙ୍କ ପ୍ରିୟ ଦାଦା ଏଠି ନଥିଲେ କଣ ହେଲା ସେ ଉପରୁ ସବୁ ଦେଖୁଛନ୍ତି ବୋଲି କହିଥିଲେ ଦୀପାଳୀ । ପୁଅ ବିଶାଳ ବାପାଙ୍କ ପ୍ରତି ଥିବା ତାଙ୍କର ଲୋକମାନଙ୍କ ଭଲ ପାଇବା ଦେଖି କହିଛନ୍ତି ବାପା ଚାଲିଯିବା ପରେ ସବୁ ଅନ୍ଧାର ଦିଶୁଥିଲା, ପରିବାର ରେ କେହି କିଛି ଜାଣିପାରୁ ନ ଥିଲେ । କିନ୍ତୁ ବାପା ସିନା ଚାଲିଗଲେ କିନ୍ତୁ ଲୋକ କମେଇଗଲେ । ଆପଣଙ୍କ ଏକଯୁଟ ହେବା ଦେଖି ଆମ ପରିବାରକୁ ଶକ୍ତି ମିଳୁଛି ବୋଲି ବିଶାଳ ଦାସ କହିଥିଲେ । ଏହା ସହିତ ମନ୍ତ୍ରୀଙ୍କ ସ୍ମୃତି ରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା । ଏହି ଅବସରରେ ନବ ଦାସଙ୍କ ଅନେକ ଶୁଭେଚ୍ଛୁ ରକ୍ତଦାନ କରିଥିଲେ ।
0 Comments