ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ - ୨୦୨୩ ପାଳନ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ମାର୍ଚ୍ଚ୫ରୁ ୯ମାର୍ଚ୍ଚ ପାଞ୍ଚଦିନ ବ୍ୟାପୀ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ମନମୋହନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ମେଳାର ଆୟୋଜନ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲାର ବୃହତ ଶିଳ୍ପାନୁଷ୍ଠାନ , କର୍ପୋରେଟ ହାଉସ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ , ମିଶନ ଶକ୍ତି , ଓଡ଼ିଶା ଜୀବିକା ମିଶନ, ଓରମାସ, ବ୍ୟାଙ୍କ, ଶିଳ୍ପ ତାଲିମ କେନ୍ଦ୍ର , ପଲିଟେକନିକ ସମେତ ପୁଲିସ, ଅଗ୍ନିଶମ ଓ ବିଦ୍ୟୁତ ବିଭାଗର ମୋଟ ଏକ ଶହ ଷ୍ଟଲ ଆୟୋଜନ କରାଯିବ। ବିଭିନ୍ନ ବିଭାଗ ଓ ଶିଳ୍ପାନୁଷ୍ଠାନ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟକ୍ରମର ପ୍ରଦର୍ଶନ ସହ
ଉତ୍ପାଦିତ ଦ୍ରବ୍ୟ ବିକ୍ରୟ ମଧ୍ୟ କରାଯିବ। କାର୍ଯ୍ୟକ୍ରମ ଆୟୋଜନ ସ୍ଥଳ ପରିଷ୍କାର ପରିଛନ୍ନ , ବିଦ୍ୟୁତ ଯୋଗାଣ , ଅତିଥି , ମହିଳା ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କର ରହଣି, ସୁରକ୍ଷା କର୍ମୀ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା , ଅଗ୍ନିଶମ ସେବା କର୍ମଚାରୀ ମୁତୟନ, ପ୍ରାଥମିକ ଚିକିତ୍ସା, ପାନୀୟ ଜଳ ବ୍ୟବସ୍ଥା, ସିସି ଟିଭି କ୍ୟାମେରା , ସେଲ୍ଫି ପଏଣ୍ଟ ଓ ହୋର୍ଡିଙ୍ଗ ସ୍ଥାପନ, ପ୍ରଚାର ପ୍ରସାର ଓ ସାମ୍ବାଦିକ ସମ୍ମିଳନୀ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ାରେ ଆଲୁମିନିଅମ ପାର୍କ
ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠା ନେଇ ଆଲୋଚନା ଚକ୍ରର ଆୟୋଜନ ସହ ଖଣି , ଜଳ, ବିଜୁଳି,ରେଳ ଓ ଆକାଶ ପଥରେ ଯୋଗାଯୋଗ ସମ୍ପର୍କିତ ଆଲୋଚନା ଚକ୍ର ଆୟୋଜନ ପାଇଁ ବୈଠକରେ ସ୍ଥିର କରାଯାଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ କୃଷ୍ଣଚନ୍ଦ୍ର ନାୟକ ମେଳା ଆୟୋଜନ ନେଇ ସୂଚନା ପ୍ରଦାନ କରିଥିଲେ।
0 Comments