ଚୌକିପଡ଼ା ବିସ୍ଥାପିତଙ୍କୁ କାପୁମାଲର ସରକାରୀ ଜମିରେ ଥଇଥାନ ପାଇଁ ପ୍ରଶାସନର ପ୍ରୟାସକୁ ସ୍ଥାନୀୟ ଲୋକଙ୍କ ବିରୋଧ।ଝାରସୁଗୁଡା ଜିଲ୍ଲା ଚୌକିପଡ଼ା ରେଳ ଓଭର ବ୍ରିଜରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ କାପୁମାଲର ସରକାରୀ ଜମିରେ ଥଇଥାନ ପାଇଁ ପ୍ରଶାସନର ପ୍ରୟାସକୁ ଆଜି ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି l ଚୌକିପଡ଼ା ରେଳ ଓଭର ବ୍ରିଜ ପାଇଁ ବିସ୍ଥାପିତ ହେଉଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ଝାରସୁଗୁଡା ପୌରପରିଷଦ 9 ନମ୍ବର ୱାର୍ଡ କାପୁମାଲରେ ଚିନ୍ହଟ ହୋଇଥିବା ଜମିକୁ ଆଜି ପ୍ରଶାସନ ପକ୍ଷରୁ ମାପିବା ଆରମ୍ଭ କରାଯାଇଥିଲା l ତେବେ ଏହି ସରକାରୀ ଜମିଟି ଗୋଚର ଜମି ଏବଂ ଖେଳ ପଡିଆ ହୋଇଥିବାରୁ ଏଠାରେ ଅନ୍ୟ କାହାକୁ ଥଇଥାନ କରା ନଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି l ଏବଂ ପ୍ରଶାସନ ପକ୍ଷରୁ କରାଯାଉଥିବା ଜମି ମାପକୁ ଦୃଢ଼ ବିରୋଧ କରିଛନ୍ତି l ଘଟଣାସ୍ଥଳକୁ ଝାରସୁଗୁଡା ଉପଜିଲ୍ଲାପାଳ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଲୋକେ ନିଜ ଜିଦରେ ଅଟଳ ରହିଥିଲେ l ଗାଁର ଏହି ଗୋଚର ଜମି ଉପରେ ହଜାର ହଜାର ଗାଈ ଗୋରୁ ନିର୍ଭର କରୁଥିବାବେଳେ ସ୍ଥାନୀୟ ଲୋକେ ଏହାକୁ ଖେଳ ପଡିଆ ଭାବରେ ମଧ୍ୟ ବ୍ୟବହାର କରୁଛନ୍ତି l ତେଣୁ କୌଣସି ବିସ୍ଥାପିତ ଲୋକଙ୍କୁ ଏଠାରେ ଥଇଥାନ କରାନଯାଉ ସ୍ଥାନୀୟ ଲୋକେ ଦାବି କରିଛନ୍ତି l ଅନ୍ୟପଟେ ଝାରସୁଗୁଡାର ବିକାଶ ପାଇଁ ଲୋକଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ ଏକ ନିଷ୍କର୍ଷ ବାହାର କରାଯିବବୋଲି ଉପଜିଲ୍ଲାପାଳ କହିଛନ୍ତି l
0 Comments