ଝାରସୁଗୁଡା ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଆଜି ଅଚାନକ ଅର୍ଡା ସ୍ଥିତ ଆଶ୍ରମ ସ୍କୁଲ ଓ ସୁଲାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଆଶ୍ରମ ସ୍କୁଲରେ ଶ୍ରୀ ପାଢ଼ୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ଦିନକର ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରାବାସ ପରିଦର୍ଶନ କରି ପରିଷ୍କାର ପରିଚ୍ଛନ୍ନତା ଦିଗରେ ଧ୍ୟାନ ଦେବାକୁ ତାଗିଦ କରିଥିଲେ।
ମଧ୍ୟାହ୍ନ ଭୋଜନ ସକାଶେ ଉଦ୍ଦିଷ୍ଟ ରନ୍ଧା ଘର ବୁଲି ଦେଖିବା ସହ ପ୍ରସ୍ତୁତ ଖାଦ୍ୟ ଯାଞ୍ଚ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ପାଇଖାନା ସଫା ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଉପ ଜିଲ୍ଲାପାଳ ସୁଲାହୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସରପଞ୍ଚଙ୍କ ଦ୍ୱାରା ଦିଆଯାଉଥିବା କାର୍ଯ୍ୟାଦେଶ ଓ ରେକର୍ଡ ଆଦି ତଦାରଖ କରିବା ସହ ପି ଡି ଏସ୍ ସାମଗ୍ରୀ ସୁବ୍ୟବସ୍ଥିତ ଭାବରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୁଲେସରା ଗ୍ରାମର ଭିନ୍ନକ୍ଷମ ଫଗୁ ଛତ୍ରୀଙ୍କୁ ଉପ ଜିଲ୍ଲାପାଳ ଏକ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ ମହାନ୍ତି ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ଉପସ୍ଥିତ ଥିଲେ ।
0 Comments