ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ , ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ଏସ୍ ଡି ପି ଓ ନିର୍ମଳ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସାମଲ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଚଳିତ ବର୍ଷର ସ୍ବାଧୀନତା ଦିବସ କୋଭିଡ ନିୟମାବଳୀ ପାଳନ ପୂର୍ବକ ଅନୁଷ୍ଠିତ ହେବ ଵୋଲି ସୂଚନା ଦେବା ସହ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୈନ ସ୍ବାଧୀନତା ଦିବସ ଅବସରରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟମ ଉପରେ ଆଲୋକପାତ କରିଥିଲେ । ପ୍ରାତଃ ୪ଟାରୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାମଧୂନ ପ୍ରଚାର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଝାରସୁଗୁଡା ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ , ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ , ବ୍ୟବସାୟିକ ପ୍ରତିଷ୍ଠାନ , କ୍ଲବ ଓ ପାଠାଗାର ଇତ୍ୟାଦିରେ ସକାଳ ୭ଟାରୁ ସାଢ଼େ ସାତ ଟା ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପାଇଁ ଆଲୋଚନା ହୋଇଥିଲା।
ସକାଳ ୯ଟା ୧୫ମି. ସମୟରେ ସ୍ବାଧୀନତା ଦିବସର ମୁଖ୍ୟ ଅତିଥି ମନମୋହନ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆନୁଷ୍ଠାନିକ ପ୍ୟାରେଡ ଅନୁଷ୍ଠିତ ହେବ ନାହିଁ । ରିଜର୍ଭ ପୁଲିସର ଦୁଇଟି ଓ ଓ ଏସ ଏ ପିର ଗୋଟିଏ ଦଳ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । ସ୍ବାଧୀନତା ଦିବସ ଅବସରରେ ରକ୍ତଦାନ ଶିବିର , ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଓ ମାତୃମଙ୍ଗଲ କେନ୍ଦ୍ର ଏବଂ ଝାରସୁଗୁଡ଼ା ଉପ କାରାଗାରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ ପାଇଁ ସ୍ଥିର କରାଯାଇଥିଲା । ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ , ସହରର ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ , ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ , ସ୍ବେଛାସେବୀ ସଂଗଠନର
କର୍ମକର୍ତ୍ତା ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗେନ୍ଦ୍ର ମାଝୀ ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments