ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଓ ଝାରସୁଗୁଡ଼ା ବ୍ଲକର ଆଦର୍ଶ ବିଦ୍ୟାଳୟ ସକାଶେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପକ୍ଷରୁ ଆଠଟି ମାଗଣା ସ୍କୁଲ ବସ୍ ସେବାର ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଚାରିଟି ବସର ଲୋକାର୍ପଣ କରାଯାଇଛି । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇ ବସ ଗୁଡ଼ିକର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ , ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ପ୍ରମୁଖ ବସ ଗୁଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ , ଜିଲ୍ଲାପାଳ ସରୋଜ କୁମାର ସାମଲ , ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ତପିରାମ ମାଝୀ ଓ ଝାରସୁଗୁଡ଼ା ପୌରପାଳିକା ଅଧ୍ୟକ୍ଷା , ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସ , ଲୋକସଭା ସଭ୍ୟ ଶ୍ରୀ ପୂଜାରୀ ଓ ବିଧାୟିକା ଶ୍ରୀ ମହାନ୍ତି ଏହି ବସ ଚଳାଚଳ ଦ୍ଵାରା ଆଦର୍ଶ ବିଦ୍ୟାଳୟରେ ପଢିବାକୁ ଥିବା ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ବୋଲି କହିଥିଲେ । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । ବୈଠକରେ ଜିଲ୍ଲା ପରିଷଦର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତିଷ୍ଠାନର ଟିମ୍ ଲିଡର ନଳିନୀ ଦାସ ଓ ଅନ୍ୟମାନେ ସହଯୋଗ କରିଥିଲେ ।
0 Comments