ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ନାୟକ, ଭାରପ୍ରାପ୍ତ ନଗରପାଳ ଶ୍ରୀଯୁକ୍ତ କ୍ରିଷ୍ଣା ଗୋପାଲ ସିତାନୀ, ବ୍ରଜରାଜନଗର ପୌରପରିଷଦର କାର୍ଯ୍ଯନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ, ଏସଡିପିଓ ଚିନ୍ତାମଣି ପ୍ରଧାନ, ହାଉସିଙ୍ଗ ବୋର୍ଡର ଡେପୁଟି ମ୍ୟାନେଜର ସନ୍ତୋଷ କୁମାର ଦଳେଇ ଝାରସୁଗୁଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ଓଏସ ଆରଟିସିର ଜିଲ୍ଲା ମ୍ୟାନେଜର ଚିନ୍ତା ପାଲ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମାନ୍ୟବର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ନିଜ ଅଭିଭାଷଣରେ କହିଥିଲେ ଯେ, ପ୍ରସ୍ତାବିତ ବସ୍ ଷ୍ଟାଣ୍ଡଟି ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରାୟ ୩.୩୦ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ଆଧୁନିକ ବସ୍ ଷ୍ଟାଣ୍ଡର ମୋଟ ନିର୍ମିତ କ୍ଷେତ୍ରଫଳ ୯୨୧୯.୩୨ ବର୍ଗ ମିଟର ରହିବ। ଏଠାରେ ଯାତ୍ରୀ ଏବଂ ଚାଳକମାନଙ୍କ ସୁବିଧା ନିମନ୍ତେ ସୁବିସ୍ତୃତ ପାର୍କିଂ, ଇଭି ଚାର୍ଜିଂ ଶେଡ୍, ଲିଫ୍ଟ, ସିସିଟିଭି ସୁରକ୍ଷା, ଡର୍ମିଟୋରୀ (ବିଶ୍ରାମ ଗୃହ) ଓ ଫୁଡ୍ କୋର୍ଟ ସମେତ ୧୯ଟି ବିଶ୍ୱସ୍ତରୀୟ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରାଯିବ। ଏଥିସହିତ ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ଆମ ସରକାରଙ୍କର ମୁଖ୍ୟ ସଂକଳ୍ପ। ଆଜି ଯେଉଁ ସବୁ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି, ତାହା କେବଳ ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବ ନାହିଁ, ବରଂ ଏହା ମାଧ୍ୟମରେ ଆମେ ଆମର ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ଯାଉଛୁ। ନୂତନ ସପିଂ କମ୍ପ୍ଲେକ୍ସ ଏବଂ ଆଧୁନିକ ବଜାର ଭଳି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅର୍ଥନୀତିକୁ ଗତିଶୀଳ କରିବ ଏବଂ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବ। ଏହା ସହିତ, ଦିନରାତି ଜାତୀୟ ରାଜପଥରେ ଯାତାୟାତ କରୁଥିବା ଆମ ଗାଡ଼ି ଚାଳକ ଭାଇମାନଙ୍କ ସୁରକ୍ଷା ଓ ବିଶ୍ରାମ ପାଇଁ ଜାତୀୟ ରାଜପଥ କଡ଼ରେ ଏକ ଅତ୍ୟାଧୁନିକ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ପ୍ରତିଟି ବର୍ଗର କଲ୍ୟାଣ ଏବଂ ଏକ 'ବିକଶିତ ବ୍ରଜରାଜନଗର' ଗଠନ ଦିଗରେ ଆମେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।"
ସୂଚନାଯୋଗ୍ୟ ଯେ, ଉଦ୍ଘାଟିତ ହୋଇଥିବା ୧୨ଟି ମୁଖ୍ୟ ପ୍ରକଳ୍ପ ମଧ୍ୟରେ ଗୋଆଲ ଚୌକଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଡ୍ରାମା ପେଣ୍ଡାଲ, ଇକୋ ପାର୍କରେ ୧୮ ଲକ୍ଷ ଟଙ୍କାର ଯୋଗ ପିଣ୍ଡି, ୧୭ ଲକ୍ଷ ଟଙ୍କା ବ୍ୟୟରେ ଶହୀଦ ସ୍ମୃତି ରକ୍ଷା ଓ ମଧୁସୂଦନ ଚୌକର ନବୀକରଣ ଏବଂ ୨୦୬ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଅତିରିକ୍ତ ଶ୍ରେଣୀ ଗୃହ ସହ ସ୍କୁଲ ବିଲ୍ଡିଂ ନିର୍ମାଣ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସାଂସଦ ପାଣ୍ଠିରୁ ଲାମଟିବାହାଲଠାରେ କମ୍ୟୁନିଟି ସେଣ୍ଟର (ଦୁର୍ଗା ମଣ୍ଡପ) ପାଇଁ ୬.୭୫ ଲକ୍ଷ ଏବଂ ପାୱାର ହାଉସ ପଡ଼ାଠାରେ କମ୍ୟୁନିଟି ସେଣ୍ଟର ପାଇଁ ୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।
ସେହିପରି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବୃହତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜି.ଏମ. କମ୍ପ୍ଲେକ୍ସ ନିକଟରେ ୩.୬ କୋଟି ଟଙ୍କାର ଆଧୁନିକ ଆମିଷ ବଜାର, ମହିଳା ମହାବିଦ୍ୟାଳୟ ନିକଟରେ ୩.୪୨ କୋଟି ଟଙ୍କାର ସ୍ୱତନ୍ତ୍ର ପାଠାଗାର, ଲାମଟିବାହାଲଠାରେ ୨.୧ କୋଟି ଟଙ୍କାର କଲ୍ୟାଣ ମଣ୍ଡପ ଏବଂ ଟନେଲ ରୋଡ୍ ନିକଟରେ ୧.୨ କୋଟି ଟଙ୍କା ବ୍ୟୟରେ ଏକ ସପିଂ କମ୍ପ୍ଲେକ୍ସ ନିର୍ମାଣ କରାଯିବା ନେଇ ପ୍ରସ୍ତୁତି ସରିଛି। ଏହି କାର୍ଯ୍ୟକ୍ରମରେ ବିଶେଷ କରି ତେଲେନପାଲି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଉପରେ ଫୋକସ୍ କରାଯାଇଛି। ଏଥିପାଇଁ LBYS କ୍ଲବରେ ୫୦ ଲକ୍ଷ ଟଙ୍କାର ସେଡ୍ ନିର୍ମାଣ, ଭଗତପଡ଼ାଠାରେ ୬୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ନିର୍ମାଣ ସହ ଅନ୍ୟ ଏକ କଲ୍ୟାଣ ମଣ୍ଡପର କାର୍ଯ୍ୟ ସମାପ୍ତି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ DMF ପାଣ୍ଠିରୁ ମଞ୍ଜୁର ହୋଇଥିବା ୧ କୋଟି ଟଙ୍କା ବ୍ୟୟରେ ତେଲେନପାଲି ସାହୁପଡ଼ା ପଡ଼ିଆର ଉନ୍ନତିକରଣ ଏବଂ ୬୦ ଲକ୍ଷ ଟଙ୍କା ବ୍ୟୟରେ ତେଲେନପାଲି ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥିସହ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବ୍ରଜରାଜନଗର ପୌରପାଳିକା ପକ୍ଷରୁ ପ୍ରାୟ ୩୬ କୋଟି ଟଙ୍କାର ଏକ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତାବିତ କରାଯାଇଛି।
କାର୍ଯ୍ୟକ୍ରମର ଶେଷରେ ହାଉସିଙ୍ଗ ବୋର୍ଡର ଡେପୁଟି ମ୍ୟାନେଜର ଶ୍ରୀ ସନ୍ତୋଷ କୁମାର ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନତା ଉପସ୍ଥିତ ଥିଲେ।


0 Comments