"ଜନ ଭାଗିଦାରୀ - ସବୁଠାରୁ ଦୂର, ସର୍ବ ପ୍ରଥମେ" ଅଭିଯାନ ଆଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି


 ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସମ୍ମିଳନୀ କକ୍ଷଠାରେ ଦେଶବ୍ୟାପୀ ଜନଜାତୀୟ ଗରିମା ଉତ୍ସବ, ୨୦୨୬ ଅନ୍ତର୍ଗତ "ଜନ ଭାଗିଦାରୀ - ସବୁଠାରୁ ଦୂର, ସର୍ବ ପ୍ରଥମେ" ଅଭିଯାନ ଆଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଦିବାସୀମାନଙ୍କ ସୂଚନା, ଶିକ୍ଷା, ଯୋଗାଯୋଗ ତଥା ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଏହି ଅଭିଯାନ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଧରତି ଆବା-ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ ଆସନ୍ତା ମଇ ୧୮ ତାରିଖରୁ ୨୫ମଇ ୨୦୨୬ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାରେ ଥିବା ୭୭ ଗୋଟି ଗ୍ରାମର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସୁବିଧା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ୨୫ ଗୋଟି ଗ୍ରାମରେ ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରାଯିବାକୁ ସ୍ଥିରୀକୃତ ହୋଇଛି। ଏହା ସହିତ ଜିଲ୍ଲାର ୧୧ ଗୋଟି ଆଦି ସେବା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଅଭିଯୋଗ ଶୁଣାଣୀ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆୟୋଜିତ ହେବାକୁ ଥିବା ଏହି ସମସ୍ତ ଶିବିରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଆଧାର କାର୍ଡ, ରାସନ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଜାତିଗତ ପ୍ରମାଣ ପତ୍ର ପ୍ରଦାନ ସହ ମାଗଣାରେ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ସେବା ଯୋଗାଇ ଦିଆଯିବ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଟେଲ ଉପସ୍ଥିତ ରହି ଏହି ଅଭିଯାନର ରୂପରେଖ ଓ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ନାୟକ, ଲଇକେରା ବ୍ଲକ ଚେୟାରମ୍ୟାନ୍ ଶ୍ରୀ ସଞ୍ଜୀବ ନାୟକ, ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ଏବଂ ଲଇକେରା ତହସିଲଦାର ଶ୍ରୀ ଦିଲ୍ଲୀପ ମାଝୀ, ବିଭିନ୍ନ ବିଭାଗୀୟ ମୁଖ୍ୟ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done