ପ୍ରାକୃତିକ ସମ୍ପଦ ଏବଂ ଜଳ ଜମି ଜଙ୍ଗଲର ସୁରକ୍ଷା, ଆଦିବାସୀ, ଦଳିତ, କୃଷକ ଓ ସମସ୍ତ ଶ୍ରମଜୀବି ମଣିଷଙ୍କ ଜୀବିକା ଓ ରୋଜଗାର ର ସୁରକ୍ଷା, ପ୍ରଭୃତି ବିଷୟକୁ ନେଇ ଗତ ୨୫ ଫେବୃଆରୀ ୨୦୨୬ ଠାରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରୁ ଆରମ୍ଭ ହୋଇଥିବା ଲୋକ ଅଧିକାର ଯାତ୍ରା ବିଭିନ୍ନ ଜିଲ୍ଲା ପରିକ୍ରମା ପରେ ଆଜି ଝାରସୁଗୁଡ଼ା ଠାରେ ପହଞ୍ଚିଥିଲା। ଝାରସୁଗୁଡ଼ା ଠାରେ ନାଗରିକ ମଞ୍ଚ ପକ୍ଷରୁ ଲୋକ ଅଧିକାର ଯାତ୍ରାକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉପଲକ୍ଷେ ନାଗରିକ ମଞ୍ଚ, ପକ୍ଷରୁ ଝାରସୁଗୁଡା ସହରର କକ୍ସ୍ କଲୋନୀ ସ୍ଥିତ ସମ୍ବଲପୁର ସାମାଜିକ ସେବା ସଂସ୍ଥାର ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତ୍ରରା କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ବିକାଶ ନାମରେ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ ପ୍ରତ୍ୟେକ ଦିନ ସାଧାରଣ ଲୋକଙ୍କ ଭାତହାଣ୍ଡି ଭଙ୍ଗା ଯାଉଛି, ପ୍ରତ୍ୟେକ ଦିନ ସମ୍ବିଧାନର ଉଲଙ୍ଘନ ହେଉଛି, ଆଦିବାସୀ ଓ ବନଜୀବୀଙ୍କ ବଞ୍ଚିବାର ଅଧିକାରକୁ ଛଡାଇ ନିଆ ଯାଉଛି ଏବଂ ଯିଏ ବଞ୍ଚିବା ପାଇଁ ସ୍ୱର ଉତ୍ତୋଳନ କରୁଛି ତାକୁ ଜେଲ ଭିତରେ ପୁରେଇ ଦିଆଯାଉଛି।ଅନ୍ୟପକ୍ଷରେ, ୨୦୧୦ ମସିହାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଝାରସୁଗୁଡା ଏବଂ ଇବ ଭେଲିକୁ ଗୁରୁତର ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା କିନ୍ତୁ ପରିବେଶ ଆଇନକୁ ବଳିଦେଇ ଏଠି ଯେଉଁ ଶିଳ୍ପ ସବୁର ବିକାଶ ଫଳରେ ବର୍ତ୍ତମାନ ଝାରସୁଗୁଡାରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି।ଝାରସୁଗୁଡା ଆଉ ମଣିଷ ଏବଂ ଅନ୍ୟ ଜୀବଜନ୍ତୁ ରହିବା ଉପଯୋଗୀ ନୁହେଁ। ବିଶିଷ୍ଟ ଗାନ୍ଧିବାଦୀ ଡ଼. ବିଶ୍ଵଜିତ କହିଥିଲେ ଯେ ଜଳ ଜମି ଜଙ୍ଗଲ ସୁରକ୍ଷା ଏବଂଅନ୍ୟାନ୍ୟ ସାମ୍ବିଧାନିକ ଅଧିକାର ପାଇଁ ଚାଲୁଥିବା ଜନସଂଗଠନ ମାନଙ୍କୁ ଏକତ୍ରିତ କରିବା ଏବଂ ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ ହେଇଛି। ଯାହା ଆଗାମୀ ମାର୍ଚ୍ଚ ୨୯ ତାରିଖ ଦିନ ଶହୀଦ ଲକ୍ଷଣ ନାୟକଙ୍କ ବଳିଦାନ ଦିବସରେ ଭୁବନେଶ୍ୱର ଠାରେ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ସହିତ ଉଦଯାପନ ହେବ। ଲୋକମୁକ୍ତି ସଙ୍ଗଠନର ଉପଦେଷ୍ଟା ତଥା ନାଗରିକ ମଞ୍ଚର ଆବାହକ ଅନନ୍ତ
ପ୍ରଥମେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ଵଳିତ ଆଦିବାସୀ ସମାଜର ସଭାପତି ରତ୍ନାକର ପ୍ରଧାନ ସଭା ପରିଚାଳନା କରିଥିଲେ। ଆଦିବାସୀ, ଅନୁସୂଚିତ ଜାତି ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଭାକର ଓରାମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଗ୍ରାମ ସମିତି ର ଗୋପୀନାଥ ମାଝୀ, କୃଷକ ନେତା ବିରଞ୍ଚି ସାହୁ, ଜିଲ୍ଲା ପରିଷଦ ଯୋନ ୨ ସଭ୍ୟ ଦିଗାମ୍ବର ଭୋଇ, ଉମାକାନ୍ତ ନାଏକ, ଜିନିତ ସାମାଦ, କୈଳାଶ ପିଙ୍ଗ, ଗ୍ରେଗୋରୀ ସାମାଦ, ରବିନ୍ଦ୍ର ସୋହେଲା, ବିମଲ ଲାକ୍ରା, ଉଦୟାନନ୍ଦ ଦିଗି, ପ୍ରେମ ସାଗର ଧାରୁଆ, ରୂପେଶ ମୁଣ୍ଡା, ଚିନ୍ତାମଣି ସମନ୍ତରା, ତରଣୀ ସେନ ବୁଡା, ଅଶୀୟନୀ ସୁରିନ, ସୀମା ବର୍ଲା ପ୍ରଭୃତି ନେତୃବୃନ୍ଦଙ୍କ ସମେତ ଝାରସୁଗୁଡା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ଶତାଧିକ ଲୋକ ଏହି ସଭାରେ ଯୋଗଦାନ କରିଥିଲେ।


0 Comments