_ଫସଲ ବୀମା, ଡିଜିଟାଲ କ୍ରପ୍ ସର୍ଭେ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବିଭିନ୍ନ ପ୍ରକଳ୍ପକୁ ମିଳିଲା ଅନୁମୋଦନ_*
ଝାରସୁଗୁଡ଼ା: ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବୈଠକରେ ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ଖରିଫ ୨୦୨୫) ଏବଂ ଡିଜିଟାଲ କ୍ରପ୍ ସର୍ଭେ ଓ ଫାର୍ମର ରେଜିଷ୍ଟ୍ରି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ଖରିଫ ୨୦୨୫ ପାଇଁ ଧାନ ଓ ଅଣଧାନ ଫସଲ କାଟିବା ପରୀକ୍ଷଣ (CCE) ଏବଂ ଶରତ କାଳୀନ ଋତୁ ପାଇଁ ବିଏଲଟିସି (BLTC) ଦ୍ୱାରା ଅନୁମୋଦିତ ଚାଷ ଜମିର କ୍ଷେତ୍ରଫଳକୁ ଅନୁମୋଦନ କରାଯାଇଥିଲା। ଏହାବ୍ୟତୀତ ଡିଜିଟାଲ କ୍ରପ୍ ସର୍ଭେର ଗୁଣବତ୍ତା ଓ ଦୈନିକ ଅଗ୍ରଗତିର ସମୀକ୍ଷା କରିବା ସହ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ନିୟମିତ ଭାବେ ବ୍ଲକ୍ ସ୍ତରୀୟ କମିଟି ବୈଠକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଅନ୍ୟ ଏକ ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ର ସଫଳ ରୂପାୟନ ନେଇ ଜିଲ୍ଲା ସ୍ତରୀୟ କମିଟିରେ ପର୍ଯ୍ୟାଲୋଚନା କରାଯାଇଥିଲା। ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନନ୍ଦଙ୍କ ସମେତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ ଏବଂ ଏପିକଲ୍ର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। *ଯୋଜନା ଅଧୀନରେ ଆସିଥିବା ମୋଟ ୬ଟି ପ୍ରକଳ୍ପକୁ ଜିଲ୍ଲାପାଳ ଯାଞ୍ଚ କରି କାର୍ଯ୍ୟକ୍ଷମ କରିବା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି।* ଜିଲ୍ଲାର କୃଷକମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ ବିଭିନ୍ନ କୃଷି ଭିତ୍ତିକ ସେକ୍ଟରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଏବଂ କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।


0 Comments