ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡା ଆନୁକୂଲ୍ୟରେ ଚଳିତ ଶିକ୍ଷା ବର୍ଷର ମ୍ୟାଟ୍ରିକ ବାର୍ଷିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାର ସଠିକ ପରିଚାଳନା ପାଇଁ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟରେ ଏକ ଓରିଏଣ୍ଟସନ୍ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡ଼ତିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲିଳିମା ଲଳିତା ବାର୍ଲା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ କୁମାର ପଟେଲ ଯୋଗଦେଇ ପରୀକ୍ଷାଗୁଡିକର ସୁପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ ଅନୁସାରେ ଶାନ୍ତି ଶୃଙ୍ଖଳାର ପରୀକ୍ଷା ପରିଚାଳନା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପରୀକ୍ଷା କେନ୍ଦ୍ରଗୁଡିକର ଆନୁସାଙ୍ଗିକ ବ୍ୟବସ୍ଥାଗୁଡ଼ିକ ଉପରେ ଆଲୋକପାତ କରିବା ସହିତ ପରୀକ୍ଷା କେନ୍ଦ୍ରର ଅଧିକ୍ଷକମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପାଇଁ ନିଯୁକ୍ତ ହୋଇଥିବା ଅଠର ଜଣ ଲେଖାଏଁ ଅଧିକ୍ଷକ ଓ ପର୍ଯ୍ୟବେକ୍ଷକ ଓ ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲାର ପଇଁଚାଳିଶ ଟି ପରୀକ୍ଷା କେନ୍ଦ୍ର ପାଇଁ ନିଯୁକ୍ତ ହୋଇଥିବା ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କ ସହିତ ବାଇଶଟି ଡେସ୍ପାଚ୍ ଟିମ୍ ର ଅଧିକାରୀମାନେ ଯୋଗଦାନ କରିବା ପୂର୍ବକ ସେମାନଙ୍କର ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ଆଲୋଚନା କରିଥିଲେ। ପ୍ରକାଶ ଥାଉ କି ଏବର୍ଷ ଜିଲ୍ଲାରେ ମୋଟ୍ ୬୪୦୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି। ପରୀକ୍ଷାଗୁଡ଼ିକର ସୁପରିଚାଳନା ତଥା ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଚବିଶ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ର ବ୍ୟବସ୍ଥା କରାଯାଇଛି। ଏହା ସହିତ କପି ରୋକିବା ପାଇଁ ଦୁଇଟି ଜିଲ୍ଲା ସ୍ତରୀୟ ଓ ଗୋଟିଏ ରାଜ୍ୟ ସ୍ତରୀୟ ସ୍କ୍ୱାଡ୍ ଦଳ ଗଠନ କରାଯାଇଛି।


0 Comments