ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସକାଶେ ଆଜି ଗୁରୁଦିବସ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ନବ ଦାସ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ବରଗଡ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଜିଲ୍ଲା ପରିଷଦ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରବୀର କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗର୍ତିଆ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାକ ସୂଚନା ପ୍ରଦାନ କରିଥିଲେ । ଶିକ୍ଷା କ୍ଷେତ୍ରରେ ଏଭଳି ପୁରସ୍କାର ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ 37ଟି କୃତି ଛାତ୍ରଙ୍କୁ ଜିଲ୍ଲା ଶିକ୍ଷାର୍ଥୀ ଆକାଡେମିକ ଆୱାର୍ଡ, 506 ଜଣଙ୍କୁ ବ୍ଲକ ଶିକ୍ଷାର୍ଥୀ ଆକାଡେମିକ ଆୱାର୍ଡ, 130 ଜଣଙ୍କୁ ଭାଷା ଵୃତ୍ତି ଆୱାର୍ଡ, 48 ଟି ମେରିଟ -କମ - ସ୍କଳାରସିପ ଆୱାର୍ଡ, ଅବସର ପ୍ରାପ୍ତ 6 ଜଣ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ 5 ଜଣ ପ୍ରାଥମିକ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ସା ଓ ସୁଶାନ୍ତ କୁମାର ଘୁଟା, ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସି ଆର ସି ସି ଏବଂ ଝାରସୁଗୁଡା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଏବଂ କାର୍ଯ୍ୟକର୍ତା ମାନଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ବିପିନ ବିହାରୀ ପଣ୍ଡା ଏବଂ ସଚିନ୍ଦ୍ର ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ l
0 Comments