ଝାରସୁଗୁଡ଼ା ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ସୁଭଦ୍ରା ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ ପ୍ରତ୍ୟହ ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ସ୍ତରରେ କରାଯାଉଥିବା ପଞ୍ଜିକରଣ କାର୍ଯ୍ୟ,ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସିଡିପିଓ, ସୁପରଭାଇଜର, ବ୍ଲକ ଓ ପୌରପାଳିକା ସ୍ତରରେ ସୁଭଦ୍ରା ଯୋଜନା ବାବଦକୁ ସମସ୍ତ କାର୍ଯ୍ୟ ଯେପରି ତ୍ବରାନ୍ବିତ ହେବ ସେଥି ସକାଶେ ଅନୁଧ୍ୟାନ ପୂର୍ବକ ଆଜି ଦିନ ୪ ଟା ରେ ସମସ୍ତେ ଏ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଆଭାସି ମାଧ୍ୟମରେ ପ୍ରତିଦିନ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ପାଇଁ ସଂପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲ୍ଲାରେ ୪୩୩ ଟି ଜନ ସେବା କେନ୍ଦ୍ର ଓ ୯୭ଟି ମୋ ସେବା କେନ୍ଦ୍ରରେ ଅଠର ଘଣ୍ଟା (ସକାଳ ୬ଟାରୁ ରାତି ୧୨ଟା )ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ବାବଦକୁ ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି। ପ୍ରତି ବ୍ଲକ ତଥା ପୌରପାଳିକା ସ୍ତରରେ କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଦାୟିତ୍ଵ ଦିଆଯାଇଛି। ସମସ୍ତ ବ୍ଲକ, ପୌର ପରିଷଦ , ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଓ ସିଡିପିଓଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି।
0 Comments