ଏବେବି ସରିନି ହୀରାକୁଦ ବିସ୍ଥାପିତଙ୍କ ଦୁଃଖ


 ହୀରାକୁଦ ନଦୀବନ୍ଧ ଯୋଜନା ଦ୍ଵାର ୧୬୮ଟି ଗ୍ରାମ, ତଥା ୧,୨୩୦୦ ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଗ୍ରାମ ସବୁ ଜଳମଗ୍ନ ହେବା ଦ୍ବାରା ସମୁଦୟ ୨୬,୫୬୧ଟି ପରିବାର ବାସହରା ହୋଇଥିବା ରେକର୍ଡ ରହିଛି । ହୀରାକୁଦ ବନ୍ଧ ନିର୍ମାଣର ଅର୍ଦ୍ଧଶତାବ୍ଦୀ ବିତି ଯାଇଥିଲେ ମଧ୍ୟ ହୀରାକୁଦ ବିସ୍ଥାପିତଙ୍କ ଦୁଃଖ ସରିନାହିଁ । ବର୍ତ୍ତମାନ ସୁଦ୍ଧା ବହୁ ବିସ୍ଥାପିତ ପରିବାର ସେମାନଙ୍କ କ୍ଷତିପୂରଣ ପାଇ ନାହାନ୍ତି କି ନୂତନ ଭାବେ ଜନବସତି ସ୍ଥାପନ କରି ଦୀର୍ଘ ବର୍ଷ ଧରି ବସବାସ କରୁଥିବା ସେହି ଗ୍ରାମବାସୀମାନଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ମିଳିପାରିନାହିଁ । ଯାହାଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି । ଏପରି ଏକ ସମସ୍ୟା ବହୁଳ ବିସ୍ଥାପିତ ଗ୍ରାମ ହେଉଛି ଲଖନପୁର ବ୍ଳକ ପଲସଦା ପଞ୍ଚାୟତ ଅନ୍ତର୍ଗତ ଅଙ୍କୁଲି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଲଖନପୁର ବ୍ଲକ ପଲସଦା ପଞ୍ଚାୟତ ଅନ୍ତର୍ଗତ ୧୨ ନଂ ୱାର୍ଡ ଅଙ୍କୁଲି ଗ୍ରାମର ବର୍ତ୍ତମାନ ଲୋକ ସଂଖ୍ୟା ହେଉଛି ପ୍ରାୟ ୨୧୦ । ସେମାନେ ୧୯୫୭ ମସିହା ଠାରୁ ହୀରାକୁଦ ନଦୀବନ୍ଧ ଯୋଜନା ଦ୍ଵାରା ଘରଦ୍ୱାର, ଚାଷ ଜମି ସର୍ବ ହରାଇ ଦୀର୍ଘ ୬୬ ବର୍ଷ ହେବ ଅଣରାଜସ୍ୱ ଗ୍ରାମବାସୀ ଭାବେ ବସବାସ କରି ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଅଙ୍କୁଲି ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ନା ଘୋଷଣ

କରୁଛନ୍ତି ନା ସେମାନଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରୁଛନ୍ତି । ଏହା ବ୍ୟତୀତ ଅଙ୍କୁଲି ଗ୍ରାମବାସୀଙ୍କ ପାଇଁ ସମସ୍ତ ପ୍ରକାର ସରକାରୀ ଯୋଜନା ଅପହଞ୍ଚ । ଅଙ୍କୁଲି ଗ୍ରାମରେ ନା ଅଛି ଗାଧୋଇବା ପାଇଁ ବନ୍ଧ, ପୋଖରୀ ନା ଅଛି ଗାଁର ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷାଦାନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍କୁଲି ଗାଁରେ ଥ‌ିବା ତିନୋଟି ନଳକୂପରୁ ଚଳିତ ବର୍ଷ ପ୍ରଚଣ୍ଡ ଖରା ଯୋଗୁ ଜଳସ୍ତର ହ୍ରାସ ପାଇଥବାରୁ ଅଳ୍ପ ଅଳ୍ପ ପାଣି ବାହାରୁଛି। ଗଭୀର ନଳକୂପ ଖନନ କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ସମୟରେ ସମ୍ପୃକ୍ତ ଠିକାଦାର ଆଗରୁ ଚାଲିଥିବା ପାଣି ପାଇପ୍ ସବୁକୁ ତାଡ଼ି ନଷ୍ଟ କରି ଦେଇଥିବାରୁ କୌଣସି ଷ୍ଟାଣ୍ଡ ପୋଷ୍ଟରେ ପାଣି ବାହାରୁନାହିଁ । ଯାହା ଫଳରେ ଖରା ଦିନେ ପ୍ରାୟତଃ ପାଣିର ଘୋର ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ଗାଁ ନିକଟରେ ରହିଛି ଏକ ପୋଖରୀ । ସେଥିରେ କେବଳ ଏକ ପାଚେରୀ ଘାଟ ନିର୍ମାଣ ବ୍ୟତୀତ ଆଉ କୌଣସି ପ୍ରକାର ସରକାରୀ ଆର୍ଥିକ ଅନୁଦାନ ଦିଆଯାଇନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ମାଟି ପୋତି ହୋଇ ଖରା ଦିନ ଆରମ୍ଭରୁ ପାଣି ଶୁଖିଯାଉଛି । ସେହିପରି ଏନ୍ଏଚ୍-୪୯ରୁ ନାଚେନମୁରା ପ୍ରଧାନମନ୍ତ୍ରୀ ସଡ଼କକୁ ସଂଯୋଗ କରୁଥିବା ପ୍ରାୟ ଦେଢ଼ କିମି ଗାଁର ମୁଖ୍ୟ ମାଟି ରାସ୍ତାଟି ଅସରାଏ ବର୍ଷା ହେଲେ ତା ଅବସ୍ଥା ମଧ୍ୟ ଅତି ଶୋଚନୀୟ ହୋଇ ପଡୁଛି । ଗାଁର ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଯାତାୟାତ ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଥାଉ ଅଙ୍କୁଲି ଗ୍ରାମରୁ କତରବଗା ଗାଁକୁ ଯିବା ପାଇଁ ମାତ୍ର ୩ରୁ ୪ ଶହ ମିଟର ଦୂରତା। ହେଲେ ଉଭୟ ଗାଁର ମଧ୍ଯସ୍ଥଳରେ ଥିବା ଜାମୁନାଳା ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି। ରାଜ୍ୟ ସରକାର ଅଙ୍କୁଲି ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରିବା ସହ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଗାଁରେ ନୂତନ ଉପ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିବା ସହିତ ଅଙ୍କୁଲି କତରବଗା ଜାମୁନାଳାରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଯୋଜନା ରହିଛି । ଗାଁର ମୁଖ୍ୟ ରାସ୍ତାର ଉନ୍ନତିକରଣ ଦିଗରେ ମଧ୍ୟ ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ରାଜ୍ୟ ଗ୍ରାମ ଘୋଷଣା ପାଇଁ ସରକାରୀସ୍ତରରେ ସର୍ଭେ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done