ଝାରସୁଗୁଡ଼ା ଜିଲ୍ଲା ରେ ହକି କୁ ନେଇ ନୂଆ ସମ୍ଭାବନା । ପାଞ୍ଚ ମାସରେ ୪ ଶତାଧିକ ଖେଳାଳିଙ୍କ ଆବିର୍ଭାବ । ଜାତୀୟସ୍ତରରେ ସୁନ୍ଦରଗଡ ଜିଲ୍ଲା ହକିକୁ ନେଇ ଖ୍ୟାତି ଅର୍ଜନ କରିବା ସହ ଆନ୍ତର୍ଜାତୀୟ ଖେଳାଳିଙ୍କୁ ଜନ୍ମ ଦେଇ ଇତିହାସ ରଚି ସାରିଛି । ପଡୋଶୀ ଜିଲ୍ଲା ଭାବେ ଝାରସୁଗୁଡାରେ ମଧ୍ୟ ସୁନ୍ଦରଗଡ ର ପ୍ରଭାବ ରହିଛି । ମାତ୍ର ପ୍ରୋତ୍ସାହନ ଅଭାବରୁ ଜିଲ୍ଲାରେ ହକି ର ପ୍ରସାର ସମ୍ଭବ ହେଉ ନ ଥିଲା । କିନ୍ତୁ ଗତ ଏପ୍ରିଲ ମାସ ପରଠାରୁ ଜିଲ୍ଲାରେ ହକିକୁ ନେଇ ଯେଭଳି ମନୋନିବେଶ କରାଯାଇଛି ସେଥିରେ ନୂଆ ସମ୍ଭାବନା ଦେଖା ଦେବାକୁ ଲାଗିଛି । ଜିଲ୍ଲା ପ୍ରଶାସନ ଓ ହକି ସଂଗଠକ ଙ୍କ ସମ୍ମିଳିତ ପ୍ରୟାସ ଯୋଗୁଁ ଆଜି ଝାରସୁଗୁଡ଼ା ହକି ପାଇଁ ସମ୍ଭାବନାର କ୍ଷେତ୍ର ଭାବେ ପରିଗଣିତ ହେବାରେ ଲାଗିଛି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାର ହକି ଆସୋସିଏସନ୍ ଗଠନ କରାଯିବା ସହ ସ୍କୁଲ ଏବଂ କଲେଜ ସ୍ତରରୁ ପ୍ରତିଭା ଚୟନ ଜାରି ରହିଛି । ଅନ୍ୟ ପଟେ ଜିଲ୍ଲା ରେ ହକି ଖେଳାଳିଙ୍କୁ ପ୍ରୋତ୍ସାହନ ଯୋଗାଇବା ଦିଗ ରେ ବେଦାନ୍ତ ଭଳି ବୃହତ୍ ଶିଳ୍ପାନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି।
ରାଜ୍ୟ ହକି ସଂଘରେ ଝାରସୁଗୁଡ଼ାରୁ କ୍ରୀଡା ସଂଗଠକ ଜୀବନ ମହାନ୍ତିଙ୍କୁ ଉପସଭାପତି ର ଦାୟିତ୍ଵ ପ୍ରଦାନ କରାଯାଇଛି । ତେବେ ଆଗକୁ ଝାରସୁଗୁଡ଼ା ରେ କ୍ରୀଡା ଛାତ୍ରାବାସ ପ୍ରତିଷ୍ଠା ସହ ହକି ପ୍ରତିଭାଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଲାଗି ପ୍ରୟାସ କରାଯାଉଛି । ଆଗକୁ ହକି ବିଶ୍ଵ କପ୍ ର ଆୟୋଜନ ଓଡ଼ିଶା ରେ ହେବାକୁ ଥିବା ବେଳେ ଝାରସୁଗୁଡ଼ା ହକି ପ୍ରତିଭା ବେଶ୍ ଉତ୍ସାହିତ ରହିଛନ୍ତି । ହକି ତାରକା ଦିଲିପ ତିର୍କିଙ୍କ ଝାରସୁଗୁଡ଼ା ହକିକୁ ପ୍ରୋତ୍ସାହନ ଲାଗି ପ୍ରତ୍ୟକ୍ଷ ସହାୟତା ରହିଥିବାରୁ ସଂଗଠକ ମାନେ ମଧ୍ୟ ଉତ୍ସାହିତ ରହିବା ସହ ନୂତନ ସମ୍ଭାବନା ଦେଖୁଛନ୍ତି ।
0 Comments