ଲଘୁଚାପ ଜନିତ ବର୍ଷା ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ଉପରମୁଣ୍ଡ ଛତିଶଗଡ଼ର କଳମା ବ୍ୟାରେଜର ଗେଟ ଖୋଲା ଥିବାରୁ ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳର ସୁଖାସୋଡା ଓ ସେମେଲିଆ ଗ୍ରାମର ବିସ୍ତୀର୍ଣ୍ଣ ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ର ବିଷୟ ପାଲଟିଛି l
ଖବର ପାଇ ଝାରସୁଗୁଡ଼ା ଜିଲ୍ଲାପାଳ କୁଣlଲ ମୋତିରାମ ଚହ୍ୱାଣ ପ୍ରଥମେ ଲଖନପୁର ତହସିଲଦାରଙ୍କୁ ଘଟଣା ସ୍ଥଳ ପରିଦର୍ଶନ କରି ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜେ ଲଖନପୁର ବ୍ଲକ ଗସ୍ତ କରି ବନ୍ୟା ଞ୍ଚଳ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ପ୍ରଥମେ ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁହୁଦି ଗ୍ରାମରେ ଥିବା ବନ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ସେଠାରେ ଉପଲବ୍ଧ ଆବଶ୍ୟକ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ଗ୍ରାମ ନିକଟସ୍ଥ ମହାନଦୀ ତଟକୁ ଯାଇ ନଦୀର ଜଳସ୍ତର, ପ୍ରବାହ ସ୍ଥିତି ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ସେ କଣ୍ଢେଇକେଲା ପଞ୍ଚାୟତ ଅନ୍ତର୍ଗତ ସେମେଲିଆ ଓ ସୁଖାସୋଡା ଗ୍ରାମକୁ ଯାଇ ଜଳମଗ୍ନ ଚାଷଜମିର ସ୍ଥିତି ପରଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ଅବଗତ ହୋଇଥିଲେ। ଚାଷଜମିରେ ପାଣି ପଶିବା ଯୋଗୁଁ କୃଷକ ମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ କରିଥିଲେ। ଜିଲ୍ଲାପାଳ କୃଷକଙ୍କୁ ବୁଝାଇଥିଲେ ଏବଂ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଯେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି କହିଥିଲେ । ସେ ସ୍ଥାନୀୟ ଲୋକଙ୍କୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଭୟଭୀତ ନ ହୋଇ ତୁରନ୍ତ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେବା ସହ ବନ୍ୟା ସମ୍ପର୍କିତ ସମସ୍ତ ସରକାରୀ ସତର୍କ ସୂଚନାକୁ ପାଳନ କରିବାକୁ ଅନୁରୋଧ କରିଥିଲେ।


0 Comments